୯/୧୧ ଆକ୍ରମଣକୁ ୨୧ ବର୍ଷ ପୂରିଲା, ଜିଲ୍ ବାଇଡେନ ବଖାଣିଲେ ସ୍ମୃତି

ଭଉଣୀ ‌ପାଇଁ ଡରି ଯାଇଥିଲେ

ନ୍ୟୁୟର୍କ: ୨୦୦୧ ସେପ୍ଟେମ୍ବର ୧୧ ତାରିଖ(୯/୧୧)ରେ ଆମେରିକାରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଭୟଙ୍କର ଆକ୍ରମଣକୁ ଆଜି ୨୧ ବର୍ଷ ପୂରଣ ହୋଇଛି। ଆମେରିକାବାସୀ ଲୁହ ଓ ‌କୋହରେ ଆଜିର ଦିନକୁ ମନେ ପକାଇବା ସହିତ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୧ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଷ୍ଟ୍ରପତି ଜୋ ବାଇଡେନ, ପତ୍ନୀ ଜିଲ୍ ବାଇଡେନ୍, ଉପରାଷ୍ଟ୍ରପତି କମଳା ହାରିସ ପ୍ରମୁଖ ବିଭିନ୍ନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୃତକଙ୍କ ସଂପର୍କୀୟ ଏବଂ ଅତିଥିମାନେ ବିଶ୍ବ ବାଣିଜ୍ୟ କେନ୍ଦ୍ର, ପେଣ୍ଟାଗନ ଏବଂ ପେନସିଲଭାନିଆର ଏକ କ୍ଷେତ୍ରରେ ସମବେତ ହୋଇଥିଲେ। ଆମେରିକୀୟମାନେ ନିରବ ରହି ସେହି ମୂହୁର୍ତ୍ତକୁ ସ୍ମରଣ କରିବା, ମୃତକମାନଙ୍କ ନାମ ଉଚ୍ଚାରଣ କରିବା, ସ୍ବେଚ୍ଛାସେବୀ କାର୍ଯ୍ୟ ଆଦି ସଂପାଦନ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ମହମବତୀ ଶୋଭାଯାତ୍ରା ହୋଇଛି। ପେଣ୍ଟାଗନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ଗଣତନ୍ତ୍ରକୁ ସୁଦୃଢ଼ ରଖିବା ପାଇଁ ଦେଶ ଦୃଢ଼ ପ୍ରତିବଦ୍ଧ ଥିବା କହିଛନ୍ତି।

ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ୍ ସେହିଦିନର ଏକ ଭୟଙ୍କର ସ୍ମୃତିକୁ ବଖାଣିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀ ଆକ୍ରମଣବେଳେ ସେ ତାଙ୍କ ଭଉଣୀ ବୋନି ଜାକବ୍ସଙ୍କୁ ନେଇ ଅତ୍ୟନ୍ତ ଡରି ଯାଇଥିଲେ। ଭଉଣୀ କେଉଁଠି ଥିଲେ ସେ ଜାଣି ନଥିଲେ। ଅର୍ଥାତ ବିମାନରେ ଅଛନ୍ତି କିମ୍ବା ନାହାନ୍ତି ତାହା ତାଙ୍କୁ ଜଣା ନଥିଲା। ତେଣୁ ଡରିଯାଇ ସେ ଭଉଣୀକୁ ଫୋନ କରିଥିଲେ। ତେବେ ପେନସିଲଭାନିଆସ୍ଥିତ ଘରେ ଭଉଣୀ ନିରାପଦ ରହିଛି ବୋଲି ଜାଣିବା ପରେ ସେ ଆଶ୍ବସ୍ତ ହୋଇଥିଲେ। ୟୁନାଇଟେଡ ଏୟାରଲାଇନ୍ସର ଯେଉଁ ୪ଟି ବିମାନକୁ ଅପହରଣ କରାଯାଇଥିଲା ସେଥିରେ ବୋନି ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ସେ ସିଧା ତାଙ୍କ ଘରକୁ ଯାଇଥିଲେ। ବୋନିଙ୍କ ସହିତ ଜିଲ୍‌ ଆଜି ପେନସିଲଭାନିଆର ଫ୍ଲାଇଟ୍ ୯୩ ଜାତୀୟ ସ୍ମାରକୀରେ ତାଙ୍କ ମନ୍ତବ୍ୟ ରଖିଛନ୍ତି। ୯/୧୧ ଆକ୍ରମଣରେ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର