ଯୋଧପୁରରେ ସାମ୍ପ୍ରଦାୟିକ ସଂଘର୍ଷ; ଏବେବି କର୍ଫ୍ୟୁ ବଳବତ୍ତର, ୨୧୧ ଗିରଫ

ଜୟପୁର: ଇଦ୍‌ ପୂର୍ବରୁ ଯୋଧପୁରରେ ସଂଘଟିତ ସାମ୍ପ୍ରଦାୟିକ ସଂଘର୍ଷ ଘଟଣାରେ ଏପର୍ଯ୍ୟନ୍ତ ୨୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଗୁରୁବାର ଦିନ ପୁଲିସ କହିଛି। ସାମ୍ପ୍ରଦାୟିକ ହିଂସା ପରେ ସହରରେ ଆଜି (ଗୁରୁବାର) ତୃତୀୟ ଦିନ ପାଇଁ କର୍ଫ୍ୟୁ ଜାରି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ କହିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଶାନ୍ତି ଓ ସଦଭାବର ପୁନଃ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରୟାସ କରାଯାଉଛି।
ପୁଲିସ ପ୍ରଶାସନ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି, ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ଏବଂ କୌଣସି ଗୁଜବ ପ୍ରଚାର ଶୁଣିଲେ ସେ ବିଷୟରେ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଜଣାଇବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି।

ପୁଲିସ ମହାନିର୍ଦ୍ଦେଶକ ଏମ ଏଲ ଲାଥର କହିଛନ୍ତି ଯେ ଶାନ୍ତି ଏବଂ ସମନ୍ଵୟ ଭଙ୍ଗ କରିବା ଅଭିଯୋଗରେ ଏପର୍ଯ୍ୟନ୍ତ ୨୧୧ ଜଣଙ୍କୁ ଗିରଫ କରାଯାଇଛି। ଆଇପିସି ଧାରା ୧୫୧ (ଜାଣିଶୁଣି ପାଞ୍ଚ କିମ୍ବା ଅଧିକ ବ୍ୟକ୍ତ ଏକତ୍ରିତ ହେବା କିମ୍ବା ଏହାକୁ ଜାରି ରଖିବା) ଅନୁଯାୟୀ ପ୍ରାୟ ୧୯୧ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ଧାରା ଅନୁଯାୟୀ ଅନ୍ୟ ୨୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ପୁଲିସ ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି। ଏକ ବିବୃତ୍ତିରେ ଲାଥର କହିଛନ୍ତି ଯେ ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଦ୍ୱାରା ଚାରିଟି ଏଫଆଇଆର ଏବଂ ଲୋକମାନଙ୍କ ଦ୍ୱାରା ୧୫ଟି ଏଫଆଇଆର ପଞ୍ଜୀକୃତ ହୋଇଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ବାଚନମଣ୍ଡଳୀ ଯୋଧପୁରରେ ସୋମବାର ଏବଂ ମଙ୍ଗଳବାର ମଧ୍ୟରାତ୍ରିରେ, ଇଦ୍‌-ଉଲ୍‌-ଫିତର ପୂର୍ବରୁ, ଜାଲୋରୀ ଗେଟ୍‌ ସର୍କଲରେ ଇସଲାମିକ ପତାକା ସ୍ଥାପନକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ୱାଧୀନତା ସଂଗ୍ରାମୀ ବାଲମୁକୁନ୍ଦ ବିସାଙ୍କ ପ୍ରତିମୂର୍ତ୍ତିରୁ ଏକ ଗେରୁଆ ପତାକା, ଯାହାକୁ ସେମାନେ ପର୍ଶୁରାମ ଜୟନ୍ତୀ ପୂର୍ବରୁ ରଖିଥିଲେ ତାହା ନିଖୋଜ ହୋଇଯାଇଥିବା ଏକ ସଂପ୍ରଦାୟ ପକ୍ଷରୁ ଅଭିଯୋଗ ହୋଇଥିଲା। ପରେ ଏହି ଘଟଣାକୁ କେନ୍ଦ୍ର କରି ପଥର ଫିଙ୍ଗିବା ସହ ସଂଘର୍ଷ ଆରମ୍ଭ ହୋଇଥିଲା।

ମଙ୍ଗଳବାର ସକାଳେ ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଅଣା ଯାଇଥିଲା କିନ୍ତୁ ସର୍କଲ ନିକଟରେ ଥିବା ଏକ ଇଦଗାରେ ପ୍ରାର୍ଥନା ପରେ ସକାଳେ ପୁଣି ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ଅଞ୍ଚଳ ନିକଟରେ ଦୋକାନ, ଯାନବାହନ ଏବଂ ଘର ଉପରେ ପଥର ଫିଙ୍ଗା ଯାଇଥିଲା। ପରେ ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଯୋଧପୁର ସହରର ୧୦ଟି ପୁଲିସ ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର