ନୂଆଦିଲ୍ଲୀ: ଗତ ବିଳମ୍ବିତ ରାତ୍ରରେ ଦିଲ୍ଲୀସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ର ୯ ତାଲାରେ ଅଗ୍ନିକାଣ୍ଡ ଘଟିବାରୁ ସେଠାକୁ ତୁରନ୍ତ ୨୨ଟି ଦମକଳ ପଠାଯାଇଥିଲା। କିନ୍ତୁ, ନିଆଁ ଲାଗିଥିବା ପ୍ରକୋଷ୍ଠରେ କୌଣସି ରୋଗୀ ନ ଥିଲେ।
ଠିକଣା ସମୟରେ ୯ ତାଲାରୁ ସମସ୍ତଙ୍କୁ ସ୍ଥାନାନ୍ତର କରିଦିଆ ଯିବାରୁ କେହି ଆହତ ମଧ୍ୟ ହୋଇ ନାହାନ୍ତି। ନିଆଁ ଲାଗିଛି ବୋଲି ବୁଧବାର ରାତି ୧୦.୩୨ ମିନିଟ୍ରେ ହସ୍ପିଟାଲ୍ରୁ ଫୋନ୍ ପାଇଥିବା କଥା ଅଗ୍ନିଶମ ବିଭାଗ କହିଛି।
ହସ୍ପିଟାଲ୍ର ୯ ମହଲାସ୍ଥିତ ‘କନ୍ଭଜେନ୍ସ୍ ବ୍ଲକ୍’ରେ ଅଗ୍ନିକାଣ୍ଡ ଘଟିଥିଲା। ସେଠାରେ ମୁଖ୍ୟତଃ କେତେକ ନିଦାନ ପରୀକ୍ଷାଗାର ଏବଂ ପରୀକ୍ଷଣ କକ୍ଷ ଥାଏ।
ପ୍ରାପ୍ତ ସୂଚନା ଅନୁସାରେ, ୯ ତାଲାରେ ଥିବା ଗୋଟାଏ ରେଫ୍ରିଜେରେଟର୍ରେ ସର୍ଟ ସର୍କିଟ୍ ଘଟିବା କାରଣରୁ ନିଆଁ ଲାଗିଥିଲା। ରାତି ଅଧ ବେଳକୁ ନିଆଁ ଲିଭାଇ ଦିଆଯାଇଥିବା କଥା ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି।