ନୂଆଦିଲ୍ଲୀ : ସ୍ମାର୍ଟ ସିଟି ମିସନ ଅଧୀନରେ ଭୁବନେଶ୍ବର ସମେତ ଦେଶର ୨୨ଟି ସ୍ମାର୍ଟ ସିଟିର ପ୍ରକଳ୍ପ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷହେବ। ଦେଶରେ ୧୦୦ ସ୍ମାର୍ଟ ସିଟି କାର୍ଯ୍ୟ ଚାଲିଛି। ଅବଶିଷ୍ଟ ୭୮ଟି ସ୍ମାର୍ଟ ସିଟିରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୩ରୁ ୪ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷହେବାକୁ ଥିବା ଭୁବନେଶ୍ବର ବାଦ୍ ଅନ୍ୟ ସହରଗୁଡ଼ିକ ମଧ୍ୟରେ ଭୋପାଳ, ଇନ୍ଦୋର, ଆଗ୍ରା, ବାରଣାସୀ, ଚେନ୍ନାଇ, କୋଏମ୍ବାଟୋର, ଇରୋଡ଼, ରାଞ୍ଚି, ସାଲେମ, ସୁରଟ, ଉଦୟପୁର, ବିଶାଖାପାଟନମ, ଅହମଦାବାଦ, କାକିନାଡ଼ା, ପୁନେ, ଭେଲୋର, ପିମ୍ପ୍ରି-ଛିନ୍ଦୱାଡ଼ା, ମଦୁରାଇ, ଅମରାବତି, ତିରୁଚିରାପଲ୍ଲୀ ଏବଂ ତାଞ୍ଜାଭୁର ରହିଛି। ୨୦୧୫ ଜୁନ ୨୫ରେ ମୋଦୀ ସରକାର ସ୍ମାର୍ଟ ସିଟି ମିସନ ପ୍ରକଳ୍ପ ଆରମ୍ଭ କରିଥିଲେ। ୨୦୧୬ ଜାନୁଆରିରୁ ୨୦୧୮ ଜୁନ ମଧ୍ୟରେ ଏଥିରେ ୧୦୦ଟି ସହରର ବିକାଶ ପାଇଁ ଯୋଜନା ହୋଇଥିଲା।