ଏବୁଜା: ନାଇଜେରିଆର ଉତ୍ତର-କେନ୍ଦ୍ରାଞ୍ଚଳରେ ପାଠପଢ଼ା ଚାଲିଥିବା ସମୟରେ ଏକ ଦୁଇ ମହଲା ସ୍କୁଲ୍ଘର ଭୁଶୁଡ଼ି ପଡ଼ିବାରୁ ୨୨ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଏବେ ବି ଭଗ୍ନାବଶେଷ ତଳେ ଫସି ରହିଥିବା ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ୧୫ ବର୍ଷ କିମ୍ବା ତା'ଠାରୁ କମ୍ ବୟସର ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଆସିବାର କିଛି ସମୟ ପରେ ମାଳଭୂମି ରାଜ୍ୟର ବୁସାବୁଜି ସମ୍ପ୍ରଦାୟର ସେଣ୍ଟସ୍ ଏକାଡେମି ବିଦ୍ୟାଳୟରେ ଏହି ଘଟଣା ଘଟିଛି। ୧୩୨ ଜଣଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ ୨୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ ମୁଖପାତ୍ର ଆଲଫ୍ରେଡ୍ ଆଲାବୋ କହିଛନ୍ତି। ବାକି ଧ୍ବଂସାବଶେଷ ତଳେ ଫସିଥିବା ଛାତ୍ରଙ୍କୁ ଖୋଜାଚାଲିଛି।
ନାଇଜେରିଆର ଜାତୀୟ ଜରୁରିକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ଉଦ୍ଧାରକାରୀ, ସ୍ୱାସ୍ଥ୍ୟକର୍ମୀ ଓ ସୁରକ୍ଷା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଦ୍ୟାଳୟର ଦୁର୍ବଳ ଢାଞ୍ଚା ଓ ନଦୀକୂଳ ନିକଟରେ ଅବସ୍ଥିତି ପାଇଁ ରାଜ୍ୟ ସରକାର ଏହି ଦୁଃଖଦ ଘଟଣାକୁ ଦାୟୀ କରିଛନ୍ତି। ସମାନ ସ୍ଥିତିରେ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ ଦାବି କରାଯାଇଛି। ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ ଗତ ଦୁଇ ବର୍ଷ ମଧ୍ୟରେ ଏଭଳି ଏକ ଡଜନରୁ ଅଧିକ ଘଟଣା ଘଟିଥିବା ବେଳେ କୋଠା ଭୁଶୁଡ଼ିବା ଏକ ସାଧାରଣ ଘଟଣା ପାଲଟିଛି। କର୍ତ୍ତୃପକ୍ଷ ଅନେକ ସମୟରେ ଏଭଳି ବିପର୍ଯ୍ୟୟ ପାଇଁ ବିଲ୍ଡିଂ ସୁରକ୍ଷା ନିୟମ ଲାଗୁ କରିବାରେ ବିଫଳତା ଏବଂ ଖରାପ ରକ୍ଷଣାବେକ୍ଷଣକୁ ଦାୟୀ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/fhfhhsf.jpg)