ଦିନକରେ ୨୨ହଜାର ନୂଆ ମାମଲା: ୪ ଦିନରେ ସଂକ୍ରମଣ ଦ୍ବିଗୁଣା, ମୁମ୍ବାଇ, ଦିଲ୍ଲୀ ସଂକ୍ରମଣ ଉଦ୍‌ବେଗଜନକ

ଶୁକ୍ରବାର ତୁଳନାରେ ୩୬% ବୃଦ୍ଧି, ୨୩ ରାଜ୍ୟରେ ଓମିକ୍ରନ, ଆକ୍ରାନ୍ତ ସଂଖ୍ୟା ୧୫୦୦ରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମଣ ଲଗାତାର ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୨,୭୭୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪ ଦିନରେ ମାମଲା ଦୁଇ ଗୁଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟ କଡ଼ା ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୩୬ ପ୍ରତିଶତ ବୃଦ୍ଧି ହୋଇଛି। ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଶେଷ କରି ଦିଲ୍ଲୀ , ମୁମ୍ବାଇ, ବାଙ୍ଗାଲୋର ଏବଂ କୋଲକାତାରେ ସଂକ୍ରମଣ ବୃଦ୍ଧି ହୋଇଛି। ରାଜ୍ୟମାନେ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରିବା ସହ ସ୍ବତନ୍ତ୍ର ଟିମ୍‌ ଗଠନ କରିବାପାଇଁ କେନ୍ଦ୍ର ସରକାର କହିଥିବା ବେଳେ ରାଜ୍ୟମାନେ ନିଜ ନିଜ ପରିସ୍ଥିତିକୁ ଦେଖି ନୂଆ କଟକଣା ଲାଗୁ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କ ପାଖକୁ ଏନେଇ ଚିଠି ଲେଖିଛନ୍ତି।

ଦେଶରେ ଓମିକ୍ରନ୍‌ ସଂକ୍ରମଣ ମଧ୍ୟ ବଢ଼ିଚାଲିଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ରେ ପହଞ୍ଚିଛି। ୨୩ ରାଜ୍ୟକୁ ଓମିକ୍ରନ୍‌ ବ୍ୟାପିଥିବା ବେଳେ ଆଗକୁ ଭାରତରେ ଡେଲଟାକୁ ପଛରେ ପକାଇ ଓମିକ୍ରନ୍‌ ହିଁ ପ୍ରମୁଖ ପ୍ରଜାତି ପାଲଟିଯିବ ବୋଲି ଆଶଙ୍କା କରାଯାଉଛି। ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୫୧ ମାମଲା ରହିଛି। ତାମିଲନାଡ଼ୁରେ ୧୧୮ ଓମିକ୍ରନ୍‌ ମାମଲା ରହିଛି। ଦେଶରେ ସକ୍ରିୟ ମାମଲା ଏବେ ୧,୦୪,୭୮୧ ରହିଛି। ଗତ ୨୪ ଘଣ୍ଟାରେ ୪୦୬ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କୋଭିଡ୍‌ ମୃତ୍ୟୁସଂଖ୍ୟା ୪,୮୧,୪୮୬ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଦେଶରେ ୮,୯୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦୈନିକ ପଜିଟିଭ୍‌ ହାର ୨.୦୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୧୦ ପ୍ରତିଶତ ରହିଛି।

ମୁମ୍ବାଇ, ଦିଲ୍ଲୀ ସଂକ୍ରମଣ ଉଦ୍‌ବେଗଜନକ
ମୁମ୍ବାଇ: ମୁମ୍ବାଇ ଏବଂ ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ଅତି କ୍ଷିପ୍ର ଗତିରେ ମାଡ଼ି ଚାଲିଛି। ମୁମ୍ବାଇରେ ଆଜି ୬,୩୪୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ମୁମ୍ବାଇ ସଂକ୍ରମଣ ମାମଲାରେ ୧୨ ପ୍ରତିଶତ ବୃଦ୍ଧି ହୋଇଛି। ମୁମ୍ବାଇରେ ୫,୭୧୨ ନୂଆ ମାମଲାରେ କୌଣସି ଲକ୍ଷଣ ନାହିଁ। ୪୫୧ ଜଣ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ମୁମ୍ବାଇରେ ମୋଟ୍‌ ସକ୍ରିୟ ମାମଲା ୨୨,୩୩୪ ଏବଂ ଆରୋଗ୍ୟଙ୍କ ସଂଖ୍ୟା ୭୫୦୧୫୮ ରହିଛି। ଅନ୍ୟପକ୍ଷେ ଦିଲ୍ଲୀରେ ଆଜି ୩୦୦୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀ ସଂକ୍ରମଣ ମାମଲାରେ ୫୧ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩.୬୪ ପ୍ରତିଶତ ରହିଛି। ମେ’ ୨୧ ପରେ ଏହା ଦିଲ୍ଲୀର ସର୍ବାଧିକ ସଂକ୍ରମଣ।

ସମ୍ବନ୍ଧିତ ଖବର