୨୦ ରାଜ୍ୟରେ ୨୨୩ ଆକ୍ରାନ୍ତ, ୧୦, ୦୦୦ ଲୋକଙ୍କ ପାଇଁ ସେନାର କ୍ବାରାଣ୍ଟିନ୍‌ ବ୍ୟବସ୍ଥା

ଗୋଟିଏ ଦିନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ, ନିରୀକ୍ଷଣରେ ୬,୭୦୦, ମୁମ୍ବାଇ, ପୁନେ, ନାଗରପୁରରେ ଅଫିସ୍‌, ବଜାର ବନ୍ଦ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶର ୨୦ ରାଜ୍ୟରେ ୨୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଦିନରେ ଭାରତରେ ୬୩ ନୂଆ ମାମଲା ସାମ୍ନାକୁ ଆସିଛି। ୨୩୬ ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ବିଦେଶୀ ନାଗରିକ ଅଛନ୍ତି। ଏଯାବତ୍‌ କରୋନା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି ଏବଂ କେରଳରେ ପୁଣି ୫ଟି ନୂଆ ମାମଲା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସବରିମାଳା ମନ୍ଦିରକୁ ବନ୍ଦ କରାଯାଇଛି। ତେଲେଙ୍ଗାନାରେ ଆଜି ପୁଣି ଜଣେ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ‌ତେଲେଙ୍ଗାନାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ କଡ଼ା କଟକଣା ଘୋଷଣା ହୋଇଛି। ମୁମ୍ବାଇ , ପୁନେ ଏବଂ ନାଗପୁରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦୋକା‌ନ ବଜାର ଏବଂ ଅଫିସ୍‌ ବନ୍ଦ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବାରୁ ରବିବାର ଦିଲ୍ଲୀ ମେଟ୍ରୋ ସେବା‌ ବନ୍ଦ ରହିବ। ଉତ୍ତରାଖଣ୍ଡ ସରକାର ବିଦେଶୀ ପର୍ଯ୍ୟଟକଙ୍କୁ ରାଜ୍ୟ‌ରେ ପ୍ରବେଶ ପାଇଁ ବାରଣ କରିଛନ୍ତି। ୬୫ବର୍ଷରୁ ଅଧିକ ଏବଂ ୧୦ବର୍ଷରୁ କମ୍‌ ବୟସର ପିଲାଙ୍କୁ ଘରେ ରହିବାକୁ ଉତ୍ତରାଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସଉଦା ଏବଂ ମେଡିସିନ୍‌ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ମଲ୍‌ ବନ୍ଦ କରିଛନ୍ତି। ଜମ୍ମୁ କାଶ୍ମୀରରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି। ଶିକ୍ଷକମାନଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟାରୁ କୋଏମ୍ବାଟୁରରେ ତାମିଲନାଡ଼ୁ-କେରଳ ସୀମା ବନ୍ଦ ରହିଛି। ଲକ୍ଷ୍ନୌରେ ଆଜି ପୁଣି ୪ଟି ନୂଆ ମାମଲା ଆସିଛି। ଏଥିସହ ଉତ୍ତରପ୍ରଦେଶରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିବାରୁ ଆଜି କଠୋର କଟକଣା ଲାଗୁ ହୋଇଛି। ଲକ୍ଷ୍ନୌ, ନଏଡ଼ା ଏବଂ ନାଗପୁରରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୬,୭୦୦ ଜଣଙ୍କୁ ନିରୀକ୍ଷଣରେ ରଖାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି, କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ନିତ୍ୟାନ୍ତ ଆବଶ୍ୟକ। କରୋନା ମୁକାବିଲା ଦିଗରେ ଭାରତରେ‌ କୌଣସି ଅତ୍ୟାବଶ୍ୟକ ଜିନିଷର ଅଭାବ ନାହିଁ ବୋଲି ସେ କହିଛନ୍ତି। କରୋନା ମୁକାବିଲା ଦିଗରେ ଏବେ ପ୍ରତି ରାଜ୍ୟରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି ବୋଲି ସେ କହିଛନ୍ତି।

୧୦, ୦୦୦ ଲୋକଙ୍କ ପାଇଁ ସେନାର କ୍ବାରାଣ୍ଟିନ୍‌ ବ୍ୟବସ୍ଥା
ନୂଆଦିଲ୍ଲୀ: କରୋନା ମୁକାବିଲା ଦିଗରେ ଭାରତର ସେନାବାହିନୀ ପ୍ରସ୍ତୁତ ରହିଛି। ସେନା ପକ୍ଷରୁ କରୋନା ମୁକାବିଲା ଦିଗରେ ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ ହୋଇଛି। ସେନା ଦ୍ବାରା ମଧ୍ୟ ହୋମ୍‌ କ୍ବାରାଣ୍ଟିନ୍‌ ଉପରେ ଗୁରୁତ୍ବ ଦିଆଯାଇଛି। ସିଡିଏସ୍‌ ବିପିନି ରାୱତ କହିଛନ୍ତି, ଭାରତୀୟ ସେନାବାହିନୀ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଏବଂ ଦେଶ ସହ ପଡ଼ୋଶୀ ଦେଶରେ ‌ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସେନାର ମେଡିକାଲ ଟିମ୍‌ ଯାଇ ପହଞ୍ଚି ପାରିବେ। ୧୦,୦୦୦ ଲୋକଙ୍କ ପାଇଁ ସେନା ଦ୍ବାରା କ୍ବାରାଣ୍ଟିନ୍‌ ବ୍ୟବସ୍ଥା କରାଯାଇଛି। ୩ ସେନା ବାହିନୀ କରୋନା ମୁକାବିଲା ଦିଗରେ ଭଲଭା‌ବେ ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ ଦ୍ବାରା ହେଉଥିବା‌ ଦୈନିକ ସମୀକ୍ଷା ବୈଠକରେ ସିଡିଏସ୍‌ ରାୱତ ଅଂଶଗ୍ରହଣ କରୁଛନ୍ତି। ସ୍ଥଳ ସେନା, ନୌସେନା ଏବଂ ବାୟୁସେନା ସବୁବେଳେ ବିପର୍ଯ୍ୟୟ ସମୟରେ ଆଗକୁ ଆ‌ସିଛି ଏବଂ କରୋନା ମୁକାବିଲା‌ ଦିଗରେ ବି ସମ୍ମୁଖରେ ରହି କାମ କରିବ ବୋଲି ରାୱତ କହିଛନ୍ତି।

ସମ୍ବନ୍ଧିତ ଖବର