ଏ ବର୍ଷ ଜମ୍ମୁ ଓ କଶ୍ମୀରରେ ନିହତ ହୋଇଛନ୍ତି ୨୨୩ ଜଣ ଆତଙ୍କବାଦୀ; ୮ ବର୍ଷ ମଧ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଏ ବର୍ଷ ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରରେ ୨୨୫ ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ଶନିବାର ଦିନ ନର୍ଦର୍ଣ୍ଣ ଆର୍ମି କମାଣ୍ଡର୍‌ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ରଣବୀର ସିଂହ କହିଛନ୍ତି। ଗତ ୮ ବର୍ଷ ମଧ୍ୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଏ ବର୍ଷ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ସର୍ବାଧିକ।

ଗୃହମନ୍ତ୍ରାଳୟ ତଥ୍ୟ ଅନୁସାରେ ୨୦୧୦ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ଟିକେ ଅଧିକ ଥିଲା। ସେ ବର୍ଷ ୨୩୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ବର୍ଷ ଶେଷ ହେବାକୁ ଆଉ ତିନି ସପ୍ତାହ ବାକି ଥିବାବେଳେ ଜମ୍ମୁ ଓ କଶ୍ମୀରର କେତେକ ଅଞ୍ଚଳରେ ଏବେ ମଧ୍ୟ ଏନ୍‌କାଉଣ୍ଟର୍‌ ଚାଲିଥିବାରୁ ଏ ବର୍ଷ ଆହୁରି ଆତଙ୍କବାଦୀ ନିହତ ହେବେ ବୋଲି ଜଣାପଡୁଛି। କିନ୍ତୁ, ଏ ଯାବତ୍‌ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ୨୦୧୭ରେ ନିହତ ହୋଇଥିବା ୨୧୩ ଜଣ ଆତଙ୍କବାଦୀଙ୍କ ସଂଖ୍ୟାକୁ ଟପିଯାଇଛି।

ନିହତ ହୋଇଥିବା ୨୨୩ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୯୩ ଜଣ ହେଉଛନ୍ତି ବିଦେଶୀ। ସେପ୍ଟେମ୍ବର ୧୫ ତାରିଖରେ ପଞ୍ଚାୟତ ନିର୍ବାଚନ ଓ ପୌରପାଳିକା ନିର୍ବାଚନ ଘୋଷଣା କରାଯିବା ପରଠାରୁ ୮୦ ଦିନ ମଧ୍ୟରେ ୮୧ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଜୁନ୍‌ ୨୫ ରୁ ସେପ୍ଟେମ୍ବର ୧୪ ତାରିଖ ୮୦ ଦିନ ମଧ୍ୟରେ ୫୧ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସେପ୍ଟେମ୍ବର ୧୫ ଏବଂ ଡିସେମ୍ବର ୫ ମଧ୍ୟରେ ଢେଲା ଫିଙ୍ଗା ଘଟନାରେ ସମଗ୍ର ରାଜ୍ୟରେ ଦୁଇ ଜଣ ସାଧାରଣ ନାଗରିକ ନିହତ ହୋଇଥିବା ବେଳେ ୧୭୦ ଜଣ ଆହତ ହୋଇଛନ୍ତି।

ସେପ୍ଟେମ୍ବର ୧୫ ପୂର୍ବରୁ ସେହି ସମୟ ଅବଧି ମଧ୍ୟରେ ଢେଲା ଫିଙ୍ଗା ଘଟନାରେ ଆଠ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ବେଳେ ୨୧୬ ଜଣ ଆହତ ହୋଇଥିଲେ। ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟ ସ୍ଥଳରେ ଅଧିକ ଢେଲାଫିଙ୍ଗା ଘଟନା ଘଟିଥିଲା।

ସମ୍ବନ୍ଧିତ ଖବର