୨୨୫ ବିଦ୍ୟାର୍ଥୀ କୋଭିଡ୍‌ ପଜିଟିଭ୍‌ ବାହାରିଥିବା ମହାରାଷ୍ଟ୍ର ସ୍କୁଲ୍‌ ଏବେ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’

ମୁମ୍ବାଇ: ମହାରାଷ୍ଟ୍ରର ଓ୍ଵାଶିମ୍‌ ଜିଲ୍ଲା ଅନ୍ତର୍ଗତ ଏକ ସ୍କୁଲ୍‌ ହଷ୍ଟେଲ୍‌ରୁ ୨୨୯ଜଣ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ସମ୍ପୃକ୍ତ ସ୍କୁଲ୍‌ ପରିସରକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨୫ଜଣ ହେଉଛନ୍ତି ଶିକ୍ଷାର୍ଥୀ ଏବଂ ବାକି ୪ଜଣ ଶିକ୍ଷକ।

ସ୍କୁଲ୍‌ର ଏହି ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅମରାବତୀ ଓ ଯବତମଲ୍‌ ଜିଲ୍ଲାର। ଗତ ସପ୍ତାହମାନଙ୍କରେ ଉପରୋକ୍ତ ଦୁଇ ଜିଲ୍ଲାରେ କରୋନାଭାଇରସ୍‌ ସଂକ୍ରମଣ ମାମଲା ବୃଦ୍ଧି ଘଟିଛି।

Image Courtesy of NDTV

ପ୍ରାପ୍ତ ସୂଚନା ଅନୁସାରେ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷିତ ଏହି ସ୍କୁଲ୍‌ ପରିସରରେ ଅମରାବତୀ, ହିଙ୍ଗୋଲି, ନାନ୍ଦେଦ୍‌, ଓ୍ଵାଶିମ୍‌, ବୁଲ୍‌ଧନା, ଅଲୋକା ଅଞ୍ଚଳର ପ୍ରାୟ ୩୨୭ଜଣ ଶିକ୍ଷାର୍ଥୀ ଏହି ହଷ୍ଟେଲ୍‌ରେ ରହନ୍ତି। ଉପରୋକ୍ତ ଜିଲ୍ଲାମାନଙ୍କ ମଧ୍ୟରୁ କେତେକ ଜିଲ୍ଲାରେ ଦୈନିକ କରୋନାଭାଇରସ୍‌ ସଂକ୍ରମଣ ମାମଲା ଖୁବ୍‌ ଅଧିକ ଆସୁଥିବା ଜଣାପଡ଼ିଛି।

କ୍ରମାଗତ ଚାରି ମାସ ଧରି ନିମ୍ନଗାମୀ ରହିଥିବା କରୋନାଭାଇରସ୍‌ ସଂକ୍ରମଣ ସଂଖ୍ୟା ଏବେ ପୁନର୍ବାର ବୃଦ୍ଧି ପାଇଛି। ବୁଧବାର ଦିନ ମହାରାଷ୍ଟ୍ରରେ ୮,୮୦୦ଟି ନୂଆ କରୋନାଭାଇରସ୍‌ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି।

ଯଦି ସମ୍ପୃକ୍ତ ଅଞ୍ଚଳବାସୀ ଭୂତାଣୁ ପ୍ରୋଟୋକଲ୍‌ ଓ କଟକଣା ନ ମାନନ୍ତି ତେବେ, କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଓ ମୁମ୍ବାଇ ପୁଲିସ କହିଛି।

ସମ୍ବନ୍ଧିତ ଖବର