ତାଲିବାନର ବଡ଼ ଆକ୍ରମଣ : ୨୩ ଆଫ୍‌ଗାନ ସୈନିକ ନିହତ

କାବୁଲ: ଆଫଗାନିସ୍ତାନରେ ତାଲିବାମ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଏକା ସଙ୍ଗରେ ୪ଟି ସ୍ଥାନରେ ସେନା ବାହିନୀ ଉପରେ ଆକ୍ରମଣ କରି ୨୩ ଜଣ ସୈନିକଙ୍କ ଜୀବନ ନେଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମଧ୍ୟ ୧୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଜି ସକାଳୁ କାବୁଲ୍‌ର ଦୂତାବାସ ଅଂଚଳ ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଏହାବାଦ୍‌ କାବୁଲ୍‌ରେ ଅନ୍ୟ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣରେ ୨ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଫରହା ପ୍ରଦେଶର ବାଲା ବୁଲୁକ୍‌ ଜିଲ୍ଲାରେ ଏକ ସେନାଘାଟି ଉପରେ ଆତଙ୍କବାଦୀମାନେ ପ୍ରଚଣ୍ଡ ଆକ୍ରମଣ କରିବାଦ୍ୱାରା ୧୮ ସୈନିକ ନିହତ ହୋଇଛନ୍ତି। ସେଠାରେ ଆତଙ୍କବାଦୀମାନେ ୨ ଜଣ ମାନବବୋମାକୁ ବ୍ୟବହାର କରିବା ସହ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲେ। ସମସ୍ତ ଆକ୍ରମଣ ପାଇଁ ତାଲିବାନ୍‌ ନିଜକୁ ଦାୟି କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଆଫଗାନ ଗୁଇନ୍ଦା ସଂସ୍ଥା ନ୍ୟାସନାଲ ଡାଇରେକ୍ଟୋରେଟ୍‌ ଅଫ୍‌ ସିକ୍ୟୁରିଟି (ଏନ୍‌ଡିଏସ)ର ଏକ କୋଠା ନିକଟରେ ବିସ୍ଫୋରଣ ଘଟିଥିବାରୁ ଏହାର ସବିଶେଷ ଯାଞ୍ଚ ଚାଲିଛି ।

ଉଲ୍ଲେଖଯୋଗ୍ୟ ଗତ ଜାନୁଆରୀ ୨୭ ତାରିଖରେ କାବୁଲ୍‌ର ଏକ ବ୍ୟସ୍ତବହୁଳ ରାସ୍ତାରେ କାର ଆମ୍ବୁଲାନ୍ସ ବିସ୍ଫୋରଣ ଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୩୫ ଜଣ ଆହତ ହୋଇଥିଲେ। ସେବେଠାରୁ କାବୁଲ୍‌ରେ ହାଇ ଆଲର୍ଟ ଜାରି ହୋଇଥିଲେ ମଧ୍ୟ ଆତଙ୍କବାଦୀଙ୍କ କବଳରୁ ରକ୍ଷା ମିଳୁନି। ୧୨ ଘଣ୍ଟା ମଧ୍ୟରେ ୪ଟି ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଆତଙ୍କ ଖେଳିଯାଇଛି। ଆମେରିକା ଓ ଆଫଗାନ ସେନା ଆତଙ୍କବାଦୀଙ୍କ ନିପାତ ପାଇଁ ମିଳିତ ଅଭିଯାନ ଜୋର୍‌ଦାର କରିଛନ୍ତି।

ସମ୍ବନ୍ଧିତ ଖବର