ଇସ୍ଲାମାବାଦ: ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଂଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ ୨୩ ଜଣ ଯବାନ ସହିଦ ହୋଇଛନ୍ତି।

Advertisment

ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର୍) ଅନୁଯାୟୀ, ଡିସେମ୍ବର ୧୨ ତାରିଖ ସକାଳେ ୬ ଜଣ ଆତଙ୍କବାଦୀ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତେବେ ପାକ ସେନାର ପ୍ରବଳ ପ୍ରତିରୋଧ ଫଳରେ ପୋଷ୍ଟ ଭିତରକୁ ପ୍ରବେଶ ଉଦ୍ୟମକୁ ସଫଳ ଭାବେ ବିଫଳ କରାଯାଇଥିଲା । କିନ୍ତୁ ଏହା ପରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ ପୋଷ୍ଟ ଭିତରକୁ ପ୍ରବେଶ କରାଇ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ।

ତେହରିକ-ଏ-ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ସୂଚନାଯୋଗ୍ୟ, ଏହି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ଭଳି ପାକିସ୍ତାନରେ ସରକାର ଗଠନ କରିବାକୁ ଚାହୁଁଛି। ସେଥିପାଇଁ ସେ ଲଗାତାର ସରକାରୀ ବିଭାଗ ଓ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଦାଇନ୍ ଏକ ଗାଡ଼ିରେ ଥାନା ଗେଟ୍ ଭିତରକୁ ପ୍ରବେଶ କରିଥିଲେ। ଗେଟ୍ ରେ ପହଞ୍ଚିବା ମାତ୍ରେ ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଚଳିତ ବର୍ଷ ଜାନୁଆରିମାସରେ ଖାଇବର ପଖ୍ତୁନଖୱାରେ ହୋଇଥିବା ଆକ୍ରମଣରେ ୧୦୧ ଜଣଙ୍କ ମୃତ୍ୟୁ ହୋଇଥିଲା।