ନୂଆଦିଲ୍ଲୀ: ରବିବାର ଦିନ ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ିଯିବା ପରେ ଅତି କମରେ ୨୪ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ସହ ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ରବିବାର ଅପରାହ୍ନରେ ମହାଳୟା ଅବସରରେ ଆୟୁଲିଆ ଘାଟରୁ ବଢ଼େଶ୍ବର ମନ୍ଦିର ଆଡ଼କୁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ନଦୀର ମଧ୍ୟଭାଗରେ ବୁଡ଼ିଯାଇଥିଲା।

Advertisment

ହଙ୍ଗା ବୁଡ଼ିବା ପରେ ଅନେକ ଯାତ୍ରୀ ପହଁରି କୂଳକୁ ଆସିଥିବା ବେଳେ ଡଙ୍ଗାରେ ଥିବା ମହିଳା ଓ ଶିଶୁ ବୁଡ଼ିଯାଇଥିଲେ। ସୂଚନା ପାଇବା ପରେ ପଞ୍ଚାଗଡ଼ର ଡେପୁଟି କମିଶନର ମହମ୍ମଦ ଜହୁରୁଲ ଇସଲାମ ଓ ପୁଲିସ ଅଧୀକ୍ଷକ ଏସ ଏମ ସିରାଜୁଲ ହୁଡା ଘଟଣାସ୍ଥଳରେ ପହଞ୍ଚିଥିଲେ। ଡେପୁଟି କମିଶନର କହିଛନ୍ତି ଯେ, ଡଙ୍ଗାରେ ଦରକାରଠାରୁ ଅଧିକ ଯାତ୍ରୀ ଥିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା। ଏହା ଫଳରେ ୨୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକରେ ମହିଳା ଏବଂ ଶିଶୁ ରହିଛନ୍ତି। ଏବେ ବି ନିଖୋଜ ଥିବା ଲୋକଙ୍କୁ ଖୋଜିବା ଜାରି ରହିଛି।

ଏବେ ଘଟଣାର ଅନୁସନ୍ଧାନ ପାଇଁ ଏକ ପାଞ୍ଚ ଜଣିଆ ଟିମ୍ ଗଠନ କରାଯାଇଛି। ଇସଲାମ କହିଛନ୍ତି ଯେ, ନିଖୋଜ ଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଜଣାନାହିଁ। ହେଲେ ଡଙ୍ଗାରେ ପ୍ରାୟ ୭୦ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି।