ନୂଆଦିଲ୍ଲୀ: ୨୦୧୮ରୁ ବିଭିନ୍ନ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ଏବଂ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଦ୍ୱାରା ପୁନରାବୃତ୍ତି କରାଯାଇଥିବା ୨୩ ଜଣଙ୍କ ନାମ ଅନୁମୋଦନ ଅପେକ୍ଷାରେ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ରହିଥିବା ଜଣାପଡ଼ିଛି। ଅତି କମରେ ସାତଟି ହାଇକୋର୍ଟରେ ହାଇକୋର୍ଟ ବିଚାରପତି ଭାବରେ ନିଯୁକ୍ତି ପାଇଁ ଏହି ନାମଗୁଡ଼ିକୁ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ସୁପାରିଶ କରିଥିଲେ ବୋଲି ସୂତ୍ରରୁ ପ୍ରକାଶ। ଫଳରେ, ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ ଓ କେଦ୍ର ସରକାରଙ୍କ ମଧ୍ୟରେ ଦୂରତା ବଢ଼ୁଥିବା ସ୍ପଷ୍ଟ ହୋଇଛି।

Advertisment

ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଦ୍ୱାରା ପ୍ରଦତ୍ତ ନାମ ତାଲିକାର ପୁନର୍ବିଚାର କରିବାକୁ ଅନୁରୋଧ କରି ସରକାର ୨୩ ଟି ନାମ ଫେରାଇ ଦେଇଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ବିଭିନ୍ନ ସମୟରେ ଏହି ନାମଗୁଡ଼ିକୁ ଦୋହରାଇଥିଲେ।

publive-image

କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ଏବଂ ଅନ୍ୟଟି ଜମ୍ମୁ-କଶ୍ମୀର ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଁ ଦୁଇଟି ନାମ- ସୁପ୍ରିମ୍‌କୋର୍ଟ କଲେଜିୟମ ସରକାରଙ୍କୁ ଦୁଇଥର ଦୋହରାଇଛନ୍ତି ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଉଭୟ ପ୍ରାର୍ଥୀ ଓକିଲ ଅଟନ୍ତି। ୨୦୧୮ରେ ଜମ୍ମୁ- କଶ୍ମୀରରୁ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ୨୦୧୯ରେ କର୍ଣ୍ଣାଟକରୁ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଥିଲା।

ଡିସେମ୍ବର ୩୧, ୨୦୨୧ସୁଦ୍ଧା, ୨୦୧୮ରୁ ବିଭିନ୍ନ ହାଇକୋର୍ଟ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ଏହିପରି ୨୩ଟି ନାମ, ଏବଂ ପରେ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ଫେରସ୍ତ ହେବା ପରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଦ୍ୱାରା ପୁନରାବୃତ୍ତି କରାଯାଇଥିଲା। ସରକାରଙ୍କ ପାଖରେ ଏହା ଏବେ ବିଚାରାଧୀନ ରହିଛି।

୨୦୨୧ରେ, ମୋଟ ୧୨୦ ଜଣ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୬ରେ, ରେକର୍ଡ ସଂଖ୍ୟକ ୧୨୬ ଜଣ ହାଇକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ। ୨୫ଟି ଉଚ୍ଚ ନ୍ୟାୟାଳୟର ମିଳିତ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ହେଉଛି ୧,୦୯୮। ହେଲେ, ଡିସେମ୍ବର ୧,୨୦୨୧ ସୁଦ୍ଧା ଦେଶର ବିଭିନ୍ନ ହାଇକୋର୍ଟରେ ୬୯୬ ଜଣ ବିଚାରପତି କାର୍ଯ୍ୟ କରୁଥିବା ବେଳେ ୪୦୨ଟି ପଦବୀ ଖାଲି ପଡ଼ିଥିଲା।

ସରକାର କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟରେ ଖାଲି ପଦବୀ ପୂରଣ କରିବା କାର୍ଯ୍ୟନିର୍ବାହୀ ଏବଂ ନ୍ୟାୟପାଳିକା ମଧ୍ୟରେ ଏକ ନିରନ୍ତର, ସମନ୍ଵିତ ଏବଂ ସହଯୋଗୀ ପ୍ରକ୍ରିୟା। ଏହା ଉଭୟ ରାଜ୍ୟ ଏବଂ କେନ୍ଦ୍ରୀୟ ସ୍ତରରେ ବିଭିନ୍ନ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ପରାମର୍ଶ ଏବଂ ଅନୁମୋଦନ ଆବଶ୍ୟକ କରେ।