ପଞ୍ଜାବ : ଦୁଇଦିନ ପରେ ବିଧାନସଭା ଅଧିବେଶନ, କିନ୍ତୁ ୨୩ ମନ୍ତ୍ରୀ ଓ ବିଧାୟକ କରୋନା ଆକ୍ରାନ୍ତ

ଚଣ୍ଡିଗଡ଼ : ଆସନ୍ତା ୨୮ ତାରିଖରୁ ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ରାଜ୍ୟର ୨୩ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏ ସଂପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୂଚନା ଦେଇଛନ୍ତି ।

ଅଣ-ବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଏକ ଭିଡିଓ-କନଫରେନ୍ସିଂ ବୈଠକ ବେଳେ କ୍ୟାପଟେନ ସିଂ ଏହି ସୂଚନା ଦେଇଛନ୍ତି । ତେବେ ଏହି ୨୩ ଜଣଙ୍କ ମଧ୍ୟରୁ କେତେ ଜଣ ମନ୍ତ୍ରୀ ଓ କେତେଜଣ ବିଧାୟକ ସେ ସମ୍ପର୍କରେ ସେ କିଛି ସୂଚନା ଦେଇନାହାନ୍ତି ।

ସେ କହିଛନ୍ତି ଗୋଟିଏ ରାଜ୍ୟର ଯଦି ୨୩ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଯାଇଛନ୍ତି, ସେଠାରେ ପ୍ରକୃତ ସ୍ଥିତି କେତେ ଖରାପ ତାହା ଜଣେ ବୁଝିପାରିବ । ଏ ପରିସ୍ଥିତିରେ ଜେଇଇ-ଏନଇଇଟି ପରୀକ୍ଷା ଆୟୋଜନ କରାଯିବା ବେଶ କଷ୍ଟକର ହୋଇପଡ଼ିବ । କେବଳ ଏହି ପରୀକ୍ଷା କଁ , ଯେକୌଣସି ପରୀକ୍ଷା କରିବା ଲାଗି ଏବେ ସ୍ଥିତି ଅନୁକୂଳ ନୁହେଁ ।

ଆଜି ଅନୁଷ୍ଠିତ ଅଣ-ବିଜେପି ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଜେଇଇ-ଏନଇଇଟି ପରୀକ୍ଷା ଆୟୋଜନକୁ ବିରୋଧ କରିବାକୁ ସହମତି ହୋଇଛି । ଆବଶ୍ୟକ ପଡ଼ିଲେ ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବାକୁ ବିରୋଧୀ ଦଳମାନେ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ମଧ୍ୟ ସୁଦ୍ଧା ପଞ୍ଜାବରେ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ଟପିଯିବ । ଏବେ ପଂଜାବରେ ମୋଟ ୪୪,୫୭୭ ଜଣ କରୋନା ଆକ୍ରାନ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର