ଇମ୍ଫାଲ : ମଣିପୁରରେ ଅଣ-ଆଦିବାସୀଙ୍କ ଆଦିବାସୀ ମାନ୍ୟତା ଦାବି ବିରୋଧରେ ହିଂସାକୁ ନେଇ ଅଣାୟତ୍ତ ସ୍ଥିତି ଉପୁଜିଛି। ବିଭିନ୍ନ ଅଞ୍ଚଳରେ ହିଂସା ଥମିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଭାରତୀୟ ସେନା ଓ ଆସାମ ରାଇଫଲ୍ସ ଯବାନଙ୍କୁ ଶାନ୍ତିରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନେ ହିଂସାପ୍ରବଣ ଅଞ୍ଚଳରୁ ଏ ପର୍ଯ୍ୟନ୍ତ ୨୩,୦୦୦ ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ବୋଲି ସେନା ପକ୍ଷରୁ ରବିବାର ଏକ ବିବୃତିରେ କୁହାଯାଇଛି। ରିପୋର୍ଟ ଅନୁସାରେ, ସେନାର ହସ୍ତକ୍ଷେପ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ହିଂସା ବନ୍ଦ ହୋଇଯାଇଛି। ସେଥିପାଇଁ କର୍ଫ୍ୟୁ ସମୟ ସକାଳ ୭ଟାରୁ ୧୦ଟା ଯାଏ କୋହଳ କରାଯାଇଛି।
ସେନା ଓ ଆସାମ ରାଇଫଲ୍ସ ଯବାନମାନେ ୯୬ ଘଣ୍ଟା ଧରି ହିଂସାପ୍ରବଣ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ସ୍ବାଭାବିକତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ତା’ପରେ ଆଉ କୌଣସି ନୂଆ ହିଂସା ଦେଖିବାକୁ ମିଳିନାହିଁ। ଶାନ୍ତି ଫେରିବା ଦେଖି ଆଜି ଚୁରାଚାନ୍ଦପୁର ଅଞ୍ଚଳରେ ସକାଳ ୭ଟାରୁ ୧୦ଟା ଯାଏ କର୍ଫ୍ୟୁ କୋହଳ କରାଯାଇଥିଲା। ସେନା ପକ୍ଷରୁ ଫ୍ଲାଗମାର୍ଚ୍ଚ ବି କରାଯାଇଥିଲା। ଗତ ୨୪ ଘଣ୍ଟା ଭିତରେ ସେନା ପକ୍ଷରୁ ଆକାଶମାର୍ଗରୁ ପରିସ୍ଥିତି ଅନୁଧ୍ୟାନ କରାଯାଇଥିଲା। ମାନବରହିତ ବାୟବୀୟ ଯାନ (ୟୁଏଭି) ଦ୍ବାରା ମଧ୍ୟ ନିରୀକ୍ଷଣ କାର୍ଯ୍ୟ କରାଯାଇଥିଲା। ଇମ୍ଫାଲ ଉପତ୍ୟକାରେ ସେନା ହେଲିକପ୍ଟର ଦ୍ବାରା ନିରୀକ୍ଷଣ କାର୍ଯ୍ୟ କରାଯାଇଥିଲା।
/sambad/media/post_attachments/wp-content/uploads/2023/05/manipur-a-750x430.jpg)
ରାଜ୍ୟରେ ଅଣ-ଆଦିବାସୀ ମୈତେୟି ସମ୍ପ୍ରଦାୟର ଲୋକସଂଖ୍ୟା ମୋଟ ଜନସଂଖ୍ୟାର ୫୩ ପ୍ରତିଶତ। ସେମାନଙ୍କ ଆଦିବାସୀ ମାନ୍ୟତା ଦାବିକୁ ବିରୋଧ କରି ଆଦିବାସୀ କୁକି ସମ୍ପ୍ରଦାୟର ଲୋକମାନେ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଗତ ବୁଧବାରଠାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାର ସୂତ୍ରପାତ ହୋଇଥିଲା। ଏହି ହିଂସାରେ ଗତ ଶନିବାର ମୃତ୍ୟୁସଂଖ୍ୟା ୫୫କୁ ବୃଦ୍ଧି ପାଇଥିଲା। ତେବେ କ୍ଷତିକ୍ଷତି ପରିମାଣ ଓ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ।
ମଣିପୁର ହିଂସା ପାଇଁ କଂଗ୍ରେସ ନେତା ଶଶୀ ଥରୁର ବିଜେପିକୁ ଦୋଷ ଦେଇଛନ୍ତି। ସୁଶାସନ ଦେବାକୁ ପ୍ରତିବଦ୍ଧ ବିଜେପି ସରକାର ଏହିପରି ସୁଶାସନ ଦେଉଛନ୍ତି ବୋଲି ସେ ଟ୍ବିଟ୍ କରି ତାଚ୍ଛଲ୍ୟ କରିଛନ୍ତି। ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିଥିବା ମଣିପୁରବାସୀ ପ୍ରତାରିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଶାସନ ଚଳାଇପାରୁ ନ ଥିବାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ଦରକାର ବୋଲି ସେ କହିଛନ୍ତି। ଇତିମଧ୍ୟରେ ହିଂସା-ପୀଡ଼ିତ ମଣିପୁରର ପ୍ରାୟ ୧୫୦୦ ଲୋକ ପଡ଼ୋଶୀ ଆସାମକୁ ପଳାଇଯାଇଛନ୍ତି। ଆସାମ ସରକାରଙ୍କ ପକ୍ଷରୁ ୮ଟି ଶିବିର କରି ସେମାନଙ୍କୁ ରଖାଯାଇଛି ଏବଂ ଆସାମ ସରକାର ଏକ ଶାନ୍ତି କମିଟି ମଧ୍ୟ ଗଠନ କରିଛନ୍ତି ଏବଂ ଶାନ୍ତି ଆଲୋଚନା ଆରମ୍ଭ ହୋଇଛି।