ଦଙ୍ଗାକାରୀଙ୍କ ବିରୋଧରେ ୟୁପି ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ, ଏପର୍ଯ୍ୟନ୍ତ ୨୩୦ ଗିରଫ, ଜବତ ହେବ ସମ୍ପତ୍ତି

ପ୍ରୟାଗରାଜ : ଉତ୍ତରପ୍ରଦେଶରେ ଶୁକ୍ରବାରଦିନ ହୋଇଥିବା ହିଂସା ପରେ ରାଜ୍ୟ ସରକାର ଉପଦ୍ରବକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିବା ସହ ସତର୍କ ରହିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତରପ୍ରଦେଶ ପୁଲିସର ଏଡିଜି (ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ ଏପର୍ଯ୍ୟନ୍ତ ୨୩୦ ଜଣ ଉପଦ୍ରବକାରୀ ଗିରଫ ହୋଇସାରିଛନ୍ତି । ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ସେମାନଙ୍କ ବିରୋଧରେ ଗାଙ୍ଗଷ୍ଟର ଆଇନ ଅଧିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କ ସଂପତ୍ତିକୁ ଜବତ କରାଯିବ । ସେହିପରି ଦଙ୍ଗାକାରୀମାନେ ଶୁକ୍ରବାରଦିନ ନଷ୍ଟ କରିଥିବା ସାଧାରଣ ସଂପତ୍ତି ଓ ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ସେମାନଙ୍କଠାରୁ ଆଦାୟ କରାଯିବ ବୋଲି ସେ କହିଛନ୍ତି ।

କେବଳ ପ୍ରୟାଗରାଜରେ ୬୮ ଜଣଙ୍କୁ ଗିରଫ କରାଯାଇଛି ଓ ଦଙ୍ଗାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜାଭେଦ ଅହମ୍ମଦକୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ପ୍ରଥମେ ଏହି ବୟାନକୁ ନେଇ ଇସ୍ଲାମିକ ଦେଶମାନେ ବିରୋଧ କରିବା ପରେ ଗତ ଶୁକ୍ରବାରଦିନ ଭାରତୀୟ ମୁସଲମାନମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ନୂପୁର ଶର୍ମାଙ୍କ ଗିରଫ ଦାବି କରି ହିଂସାତ୍ମକ ଆନ୍ଦୋଳନ କରିଥିଲେ ।

ସମ୍ବନ୍ଧିତ ଖବର