ଅଷ୍ଟ୍ରେଲିଆ ଉପକୂଳରେ ଫସି ରହିଛନ୍ତି ୨୩୦ ‘ପାଇଲଟ୍‌ ହ୍ବେଲ୍‌’; ଅଧେ ମରିଯାଇଥିବା ଆଶଙ୍କା

ସିଡ୍‌ନି: ଆଜି ତାସ୍‌ମାନିଆର ପଥୁରିଆ ପଶ୍ଚିମ ଉପକୂଳରେ ପ୍ରାୟ ୨୩୦ଟି ‘ପାଇଲଟ୍‌ ହ୍ବେଲ୍‌’ (ଡଲ୍‌ଫିନ୍‌ ଜାତୀୟ ଜଳଜୀବ) ଫସି ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧେ ଜୀବିତ ଥିବା କଥା ଅଷ୍ଟ୍ରେଲୀୟ ସରକାରୀ ଅଧିକାରୀମାନେ କହିଛନ୍ତି।

ଅଷ୍ଟ୍ରେଲିଆର ପ୍ରାକୃତିକ ସମ୍ବଳ ଓ ପରିବେଶ ବିଭାଗ କହିଛି ମାକ୍ବାରି ବନ୍ଦର ନିକଟରେ ପ୍ରାୟ ୨୩୦ଟି ଡଲ୍‌ଫିନ୍‌ର ଏକ ଦଳ ଫସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ବଞ୍ଚିଥିବା ପରି ମନେହେଉଛି।

ଅତ୍ୟନ୍ତ ଶୀତଳ ଦକ୍ଷିଣ ସାଗର ବାଲିରେ ମିଶୁଥିବା ସମୁଦ୍ର ବେଳାରେ କଳା ଓ ଚିକ୍କଣ ଦିଶୁଥିବା ଅସଂଖ୍ୟ ସ୍ତନ୍ୟପାୟୀ ଜୀବ ବିପନ୍ନ ହୋଇ ବିଛାଡ଼ି ହୋଇ ପଡ଼ିଥିବା ଦୃଶ୍ୟ ଆକାଶରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି।

Image Courtesy of The New York Daily Paper

ଆଜିଠାରୁ ପ୍ରାୟ ଦୁଇ ବର୍ଷ ତଳେ ଉକ୍ତ ସ୍ଥାନରେ ୫୦୦ ‘ପାଇଲଟ୍‌ ହ୍ବେଲ୍‌’ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୦୦ଟି ବଞ୍ଚିଲେ।

ଏତେ ସଂଖ୍ୟକ ‘ପାଇଲଟ୍‌ ହ୍ବେଲ୍‌’ ବେଳାଭୂମିରେ ଫସି ଯିବାର କାରଣ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ବୁଝି ହୋଇନାହିଁ। ବୈଜ୍ଞାନିକମାନ‌େ କହୁଛନ୍ତି ଯେ, ଖାଦ୍ୟ ଅନ୍ବେଷଣ ପାଇଁ ବେଳାଭୂମିର ଅତି ନିକଟକୁ ଚାଲି ଆସୁଥିବାରୁ ସେମାନେ ଏମିତି ଅସୁବିଧାରେ ପଡିଯାଉଛନ୍ତି।

ସୂଚନାଯୋଗ୍ୟ, ‘ପାଇ‌ଲଟ୍‌ ହ୍ବେଲ୍‌’ ଖୁବ୍‌ ମେଳାପୀ। ତେଣୁ, ଦଳରୁ ବାହାରି ବିପଦରେ ପଡ଼ିଥିବା ଯେକୌଣସି ପାଇଲଟ୍‌ ହ୍ବେଲ୍‌ ପାଖକୁ ସେମାନେ ନିର୍ବିଚାର ଭାବେ ଚାଲିଯାଆନ୍ତି।

ଘଟଣାସ୍ଥଳକୁ ସାମୁଦ୍ରିକ ସଂରକ୍ଷଣ ବିଶେଷଜ୍ଞ ଏବଂ ତିମି ଉଦ୍ଧାରକାରୀ କର୍ମଚାରୀମାନେ ଯାଇଛନ୍ତି ବୋଲି ସରକାରୀ ଅଧିକାରୀମ‌ାନେ କହିଛନ୍ତି।

ସମ୍ବନ୍ଧିତ ଖବର