ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୩୬ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଇପିଏଫ୍ ସ୍କିମର ଅନୁଚ୍ଛେଦ ୬୦(୨)(ଖ)ରେ ସଂଶୋଧନକୁ ମଞ୍ଜୁରି ଦିଆଯାଇଛି। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ, ମାସର ୨୪ ତାରିଖ ପର୍ଯ୍ୟନ୍ତ ସେଟେଲ୍ ହେଉଥିବା ଦାବିଗୁଡ଼ିକ ଉପରେ ସୁଧ ହାର ତା ପୂର୍ବମାସ ଶେଷ ପର୍ଯ୍ୟନ୍ତ ଦିଆଯାଉଛି। କିନ୍ତୁ ନୂଆ ନିଷ୍ପତ୍ତି ଅନୁଯାୟୀ ସେଟେଲମେଣ୍ଟ୍ ହେଉଥିବା ତାରିଖ ପର୍ଯ୍ୟନ୍ତ ସଦସ୍ୟମାନଙ୍କୁ ସୁଧ ଦିଆଯିବ। ଏହାଦ୍ବାରା ସଦସ୍ୟମାନେ ଉପକୃତ ହେବେ ଏବଂ ଅଭିଯୋଗ ସଂଖ୍ୟା ହ୍ରାସ ପାଇବ। ବର୍ତ୍ତମାନ ସୁଦ୍ଧା ସୁଧ ଦେବାକୁ ଥିବା ଦାବିଗୁଡ଼ିକ ପ୍ରତି ମାସର ୨୫ ତାରିଖରୁ ମାସ ଶେଷ ପର୍ଯ୍ୟନ୍ତ ପ୍ରୋସେସ ହେଉ ନଥିଲା। ସଦସ୍ୟମାନଙ୍କୁ ସୁଧରେ ହେବାକୁ ଥିବା କ୍ଷତିକୁ ଦୃଷ୍ଟିରେ ରଖି ଏହା କରାଯାଉ ନଥିଲା। ଆଜିର ନିଷ୍ପତ୍ତି ଫଳରେ ଏସବୁ ଦାବି ଉପରେ ମାସସାରା କାର୍ଯ୍ୟ ହେବ। ଏଥିସହିତ ଇଡିଏଲଆଇ ସୁବିଧା ସଂପ୍ରସାରଣକୁ ବୈଠକରେ ସ୍ବୀକୃତି ଦିଆଯାଇଛି। ୨୦୨୪ ଏପ୍ରିଲ ୨୮ରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି। ଏହାଦ୍ବାରା ସଦସ୍ୟମାନେ ସର୍ବନିମ୍ନ ୨.୫ ଲକ୍ଷ ଟଙ୍କା ଏବଂ ସର୍ବାଧିକ ୭ ଲକ୍ଷ ଟଙ୍କାର ଲାଭ ପାଇବେ। ଏଥିସହିତ ଇପିଏଫଓର ସର୍ବକ୍ଷମା ଯୋଜନା ୨୦୨୪କୁ ସିବିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ କରାଯାଇଛି। ଏଥିସହିତ ନିଯୁକ୍ତିଦାତା ଓ ସଦସ୍ୟମାନଙ୍କ ସୁବିଧା ପାଇଁ ଅନ୍ୟାନ୍ୟ କେତେକ ନିଷ୍ପତ୍ତି ମଧ୍ୟ ସିବିଟି ପକ୍ଷରୁ ଆଜି ନିଆଯାଇଛି।
ସିବିଟିର ୨୩୬ତମ ବୈଠକ
କେନ୍ଦ୍ରକୁ ସୁପାରିସ କଲା ଇପିଏଫ୍ଓ ସର୍ବକ୍ଷମା ଯୋଜନା
ସୁଧ ସଂକ୍ରାନ୍ତ ଦାବିର କାର୍ଯ୍ୟ ମାସସାରା ଚାଲିବ
୨୦୨୩-୨୪ରେ ଇପିଏଫଓ ୪.୪୫ କୋଟିର ଦାବି ସମାଧାନ କରି ୧.୮୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ଚଳିତ ଆର୍ଥିକବର୍ଷରେ ବର୍ତ୍ତମାନ ସୁଦ୍ଧା ୩.୮୩ କୋଟି ସଂଖ୍ୟକ ଦାବିର ସମାଧାନ କରାଯାଇ ୧.୫୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି। ଦାବିର ସଂୟକ୍ରିୟ ସମାଧାନ ରାଶି ପୂର୍ବରୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଗୃହ ନିର୍ମାଣ, ବିବାହ ଓ ଶିକ୍ଷା କ୍ଷେତ୍ର ଲାଗି ଏହି ରାଶି ଦିଆଯାଉଛି। ଚଳିତ ଆର୍ଥିକବର୍ଷରେ ସ୍ବୟଂକ୍ରିୟ ମାଧ୍ୟମରେ ୧.୧୫ କୋଟି ଦାବି ସମାଧାନ ହୋଇଛି। ପ୍ରତ୍ୟାଖାନ୍ୟ ଅନୁପାତ ନଭେମ୍ବରରେ ୧୪ ପ୍ରତିଶତକୁ ହ୍ରାସ ପାଇଛଥିବାରୁ ବୋର୍ଡ ଏହାର ପ୍ରଶଂସା କରିଥିଲା।
ବୈଠକରୁ ଏହା ଜଣାଯାଇଛି ଯେ କେନ୍ଦ୍ରୀକୃତ ପେନସନ ପ୍ରଦାନ ବ୍ୟବସ୍ଥା (ସିପିପିଏସ୍)ର ପ୍ରଥମ ପାଇଲଟ ପ୍ରକଳ୍ପ ୨୦୨୪ ଅକ୍ଟୋବରରେ କର୍ଣ୍ଣଲ, ଜମ୍ମୁ ଓ କଶ୍ମୀରରେ ଶେଷ ହୋଇଛି। ଦ୍ବିତୀୟ ପାଇଲଟ ପ୍ରକଳ୍ପ ୨୦୨୪ ନଭେମ୍ବରରେ ୨୦ଟି ଅତିରିକ୍ତି ଆଞ୍ଚଳିକ କାର୍ଯ୍ୟାଳୟରେ ହାତକୁ ନିଆଯାଇଥିଲା। ଏଥିରେ ୮.୩ ଲକ୍ଷ ପେନସନଭୋଗୀଙ୍କୁ ୧୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଇପିଏଫଓର ଆଇଟି ଆଧୁନିକୀଣ ପ୍ରକଳ୍ପ ସିଆଇଟିଇଏସ ୨.୦୧ ଅଧୀନରେ ସିସିପିଏସ୍ ୨୦୨୫ ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏଥିରେ ଇପିଏଫଓର ୭୮ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ। ଏହାଦ୍ବାରା ପେନସନଭୋଗୀମାନେ ଦେଶବ୍ୟାପୀ ଯେକୌଣସି ବ୍ୟାଙ୍କ କିମ୍ବା ଶାଖାରୁ ପେନସନ ପାଇପାରିବେ।