ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ଋତୁରେ ବର୍ଷା ଓ ବନ୍ୟା ଯୋଗୁଁ ୨୩୯୧ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୮ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ସୂଚନା ଦେଇ ଏକଥା କହିଛନ୍ତି। ରାୟ କହିଛନ୍ତି, ବର୍ଷା ଏବଂ ବନ୍ୟା ଦେଶର ବିଭିନ୍ନ ରାଜ୍ୟରେ ଆତଙ୍କ ଖେଳାଇଥିବା ‌‌ବେଳେ ଏନ୍‌ଡିଆରଏଫ୍‌ର ପ୍ରାୟ ୧୭୬ ଟିମ୍‌ ୯୮,୯୬୨ ଲୋକଙ୍କୁ ଉଦ୍ଧାର କରିଥିଲେ ଏବଂ ଦେଶରେ ୨୩,୮୬୯ ଜଣ ବିପନ୍ନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ୨୦୧୯ ଦକ୍ଷିଣ ପଶ୍ଚିମ ମୌସୁମୀ ସମୟ‌ରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ବର୍ଷା ଏବଂ ବନ୍ୟା ଯୋଗୁଁ ୨୩୯୧ ଜଣ ଲୋକଙ୍କ ଜୀବନ ଯାଇଛି ଏବଂ ୧୫,୭୨୯ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି। ୮,୦୦,୦୬୭ ଘର ଭାଙ୍ଗିରୁଜି ଯାଇଥିବାବେଳେ ବନ୍ୟା‌, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ୬୩.୯୭୫ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି।

Advertisment