ଥାଇଲାଣ୍ଡରେ ବୀଭତ୍ସ କାଣ୍ଡ: ଗୁଳିମାଡ଼ରେ ୨୪ ଶିଶୁ ମୃତ

ବ୍ୟାଙ୍କକ୍‌ : ଥାଇଲାଣ୍ଡର ନଙ୍ଗବୁଆ ଲମ୍ଫୁ ସହର ସ୍ଥିତ ଏକ ଡେ କେୟାର ସେଣ୍ଟର (ଶିଶୁ ଯତ୍ନକେନ୍ଦ୍ର)ରେ ଅତି ବର୍ବର ସଂହାରଲୀଳା ଦେଖିବାକୁ ମିଳିଛି। ଜଣେ ପୂର୍ବତନ ପୁଲିସ କର୍ମଚାରୀର ଗୁଳିମାଡ଼ରେ ୨୪ ଶିଶୁ ସମେତ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ୨ରୁ ୫ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ପୂର୍ବତନ ପୁଲିସ କର୍ମୀର ନାମ ପନ୍ୟା ଖମରମ (୩୪) ଏବଂ ଗତବର୍ଷ ତାକୁ ଚାକିରିରୁ ବହିଷ୍କାର କରାଯାଇଥିଲା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଆକ୍ରମଣକାରୀ ପ୍ରଥମେ ଡେ କେୟାର ସେଣ୍ଟରର ୫ ଜଣ ସୁରକ୍ଷାକର୍ମୀ ଏବଂ ଜଣେ ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଥିଲା। ଜଣେ ୮ ମାସର ଗର୍ଭବତୀ ଶିକ୍ଷୟିତ୍ରୀ ମଧ୍ୟ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଆକ୍ରମଣକାରୀ ‌ଡେ କେୟାର ସେଣ୍ଟରରେ ପ୍ରବେଶ କଲାବେଳେ ୩୦ ଜଣ ଶିଶୁ ଉପସ୍ଥିତ ଥିଲେ। ବର୍ଷା ‌ଯୋଗୁଁ ସାଧାରଣ ଦିନ ତୁଳନାରେ ଆଜି କମ୍‌ ସଂଖ୍ୟକ ଶିଶୁ ଉପସ୍ଥିତ ଥିଲେ। ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଇଶିଶୁମାନେ ଶୋଇଥିବା ରୁମ୍‌କୁ ଯାଇଥିଲା। ଶିଶୁମାନେ ଶୋଇଥିବା ଅବସ୍ଥାରେ ହିଁ ସେମାନଙ୍କୁ ଆକ୍ରମଣ କରିଥିଲା। ଗୁଳିମାଡ଼ରେ ୨୪ ଜଣ ଶିଶୁ ପ୍ରାଣ ହରାଇଥିଲେ। ଏହି ଘଟଣା ଥାଇଲାଣ୍ଡରେ ଶୋକର ଲହର ଖେଳାଇ ଦେଇଛି।

ଏଭଳି ବୀଭତ୍ସ ଗୁଳିକାଣ୍ଡ ଘଟାଇବା ପରେ ଆକ୍ରମଣକାରୀ ତା’ ଘରେ ଯାଇ ପହଞ୍ଚିଥିଲା। ତେବେ ପୁଲିସ ତତ୍କାଳ ଆକ୍ରମଣକାରୀକୁ ଚିହ୍ନଟ କରିବା ତା’ ଘରକୁ ଘେରିଯାଇଥିଲା। ଖସିବାକୁ ବାଟ ନପାଇ ଆକ୍ରମଣକାରୀ ପ୍ରଥମେ ନିଜ ପତ୍ନୀ ଏବଂ ଶିଶୁ ପୁତ୍ରକୁ ଗୁଳି କରି ହତ୍ୟା କରିଥିଲା ଏବଂ ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର