ନୂଆଦିଲ୍ଲୀ: ସଂସଦର ଉଚ୍ଚସଦନ ରାଜ୍ୟସଭାର ବାର୍ଷିକ ୩୪୦ ଘଣ୍ଟାର କାର୍ଯ୍ୟସମୟ ମଧ୍ୟରୁ ଶତକଡ଼ା ୨୮ ଭାଗ ସମୟ ବିଧି ପ୍ରଣୟନରେ ବ୍ୟୟ ହୋଇଛି। ପ୍ରଥମ ଥର ରାଜ୍ୟସଭା ସଚିବାଳୟ ଏଭଳି ଏକ ବିଶ୍ଳେଷଣ କରି ତଥ୍ୟ ପ୍ରକାଶ କରିଛି। ୧୯୭୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସମୟକୁ ଏହି ବିଶ୍ଳେଷଣରେ ନିଆଯାଇଥିଲା। ରାଜ୍ୟସଭା ତାହାର ୪୦ ପ୍ରତିଶତ ସମୟ ବିଭିନ୍ନ ସର୍ବସାଧାରଣଙ୍କ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଚର୍ଚା କରିବାରେ ବ୍ୟୟ କରିଥିବା ବେଳେ ୩୨ ପ୍ରତିଶତ ସମୟ ବ୍ୟୟ କରିଛି କାର୍ଯ୍ୟପାଳିକାର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ। ଏହି ୪୧ ବର୍ଷ ମଧ୍ୟରେ ଏହି ସଦନର ଅଧିବେଶନର ୭୭ ପ୍ରତିଶତ ସମୟ ମୂଲ୍ୟବାନ କାର୍ଯ୍ୟରେ ବ୍ୟୟ ହୋଇଥିବା ବେଳେ ୨୩ ପ୍ରତିଶତ ସମୟ ବର୍ବାଦ ହୋଇଛି ବୋଲି ରାଜ୍ୟସଭା ସଚିବାଳୟର ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌ ଭେଙ୍କେୟା ନାଇଡ଼ୁ ମୁଖ୍ୟତଃ ସଦନର ତିନିଟି କାର୍ଯ୍ୟ ଯଥା ବିଧିପ୍ରଣୟନ, ନିରୀକ୍ଷଣ, ଓ ବିଚାରଶୀଳ ଆଲୋଚନାରେ ବ୍ୟୟ ହେଉଥିବା ସମୟ ଉପରେ ଜାଣିବାକୁ ଚାହିବାରୁ ଏହି ବିଶ୍ଳେଷଣାତ୍ମକ ଅଧ୍ୟୟନ କରାଯାଇଥିଲା। ଏହି କ୍ରମରେ ବଜେଟ୍‌ ଉପରେ ଆଲୋଚନାରେ ୭.୦୮ ପ୍ରତିଶତ ସମୟ ଯାଇଥିବା ବେଳେ ଧନ୍ୟବାଦ ପ୍ରସ୍ତାବରେ ୪.୩୬ ପ୍ରତିଶତ ସମୟ ଯାଇଛି। ସେହିଭଳି ବିଭିନ୍ନ ମନ୍ତ୍ରାଳୟ କାର୍ଯ୍ୟକାରିତା ଉପରେ ଆଲୋଚନାରେ ୩.୯୩ ପ୍ରତିଶତ ସମୟ ଏବଂ ଶୂନ୍ୟକାଳ ଓ ସ୍ୱତନ୍ତ୍ର ଉଲ୍ଲେଖ ଆଲୋଚନାରେ ୧୦ ପ୍ରତିଶତ ସମୟ ବ୍ୟୟ ହୋଇଛି। ସେହିପରି ନିରୀକ୍ଷଣ କାର୍ଯ୍ୟରେ ୨୨.୫୭ ପ୍ରତିଶତ ସମୟ ବ୍ୟୟ କରିଥିବା ବେଳେ ସରକାରୀ ବିଧେୟକ ଉପରେ ଆଲୋଚନା କରିବା ଓ ଗୃହିତ କରିବାରେ ୨୪.୦୫ ପ୍ରତିଶତ ସମୟ ଯାଇଛି। ପ୍ରାଇଭେଟ୍‌ ସଦସ୍ୟ ବିଧେୟକ ପାଇଁ ୩.୫୨ ପ୍ରତିଶତ ବ୍ୟୟ କରିଛି। ୧୯୯୫ ମସିହା ଠାରୁ ଏଇ ୨୩ ବର୍ଷ ମଧ୍ୟରେ ୬ ଥର ଏମିତି ହୋଇଛି କି ବର୍ଷକୁ ୩୦୦ ଘଣ୍ଟା ସଦନର ଅଧିବେଶନ ବସିଛି। ଚଳିତ ବର୍ଷ ଏପ୍ରିଲ ୨୦ ତାରିଖ ଏଇ ବିଶ୍ଳେଷଣର ବିବରଣୀ ପ୍ରକାଶ ପାଇଥିଲା। ଏହା ପରେ ଲୋକସଭାର ଏଇ ସମାନ ପ୍ରକାର ପ୍ରବଣତା ସହ ଏକ ତୁଳନାତ୍ମକ ବିବରଣୀ ଜାଣିବାକୁ ଭେଙ୍କେୟା ନାଇଡୁ ଇଚ୍ଛା କରିଛନ୍ତି ।