ମାଡ଼ି ଆସିଥିଲା ପାକିସ୍ତାନର ୨୪ଟି ଯୁଦ୍ଧ ବିମାନ, ପ୍ରତିହତ କଲା ଭାରତର ୮

ନୂଆଦିଲ୍ଲୀ : ଭାରତର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣ କରିବା ପାଇଁ ଗତକାଲି ସକାଳେ ପାକିସ୍ତାନ ଉଦ୍ୟମ କରିଥିଲା। ଏଥିଲାଗି ୨୪ଟି ଯୁଦ୍ଧ ବିମାନ ପଠାଇଥିଲା। କିନ୍ତୁ ସଜାଗ ଭାରତୀୟ ସେନା ଠିକଣା ସମୟରେ ତତ୍ପର ହୋଇ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୯ଟା ୪୫ ମିନିଟରେ ପାକିସ୍ତାନ ଅଧିକୃତ ଅଞ୍ଚଳରୁ ଏକା ଥରକେ ୨୪ଟି ବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି ମାଡ଼ି ଆସିଥିଲେ। ସେମାନେ ୧୦ କିଲୋମିଟର ଭିତରକୁ ପଶି ଆସିଥିବା ବେଳେ ଭାରତୀୟ ବାୟୁସେନା ଲଢ଼ୁ୍ଆ ବିମାନ ସହ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନ ବାୟୁସେନା ଯେଉଁ ଯୁଦ୍ଧ ବିମାନ ପଠାଇଥିଲା ସେଥିରେ ଥିଲା ୮ଟି ଏଫ୍‌-୧୬ ବିମାନ, ୪ଟି ମିରାଜ-୩, ଚୀନ୍‌ ତିଆରି ୪ଟି ଜେଏଫ୍‌-୧୭ ଏବଂ ଅନ୍ୟ ଯୁଦ୍ଧ ବିମାନ। ସେମାନଙ୍କୁ ସୁରକ୍ଷା ଦେବାଲାଗି ଆଉ କିଛି ଲଢ଼ୁଆ ବିମାନ ମଧ୍ୟ ପଛେ ପଛେ ଆସିଥି‌େଲ।

ପାକିସ୍ତ‌ାନୀ ଯୁଦ୍ଧ ବିମାନର ମୁକାବିଲା କରିବାକୁ ଉଠିଥିଲେ ୮ଟି ଭାରତୀୟ ଯୁଦ୍ଧ ବିମାନ। ଏଥିରେ ଥିଲା ୪ଟି ସୁଖୋଇ -୩୦, ଦୁଇଟି ମିରାଜ ୨୦୦୦ ଏବଂ ଦୁଇଟି ମିଗ୍ ୨୧ ବିସନ୍ସ। ଏମାନେ ଏକକାଳୀନ ଆକ୍ରମଣ ଆରମ୍ଭ କରିଦେବାରୁ ପାକ୍‌ ବାହିନୀ ହଡ଼ବଡ଼େଇ ଯାଇଥିଲେ। ସେମାନେ ଫେରିବାକୁ ଆରମ୍ଭ କରିବା ସମୟରେ ଲେଜର୍‌ ବୋମା ପକାଇଥିଲେ। ସେମାନଙ୍କ ଟାର୍ଗେଟରେ ଭାରତୀୟ ସାମରିକ ପ୍ରତିଷ୍ଠାନ ଥିଲା। କିନ୍ତୁ ଏହା ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ତେବେ ଭାରତୀୟ ମିଗ୍ ବିମାନ ପାକ୍ ବିମାନର ପିଛା କରିଥିଲେ। ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଏଫ୍-୧୬ର ପିଛା କରିଥିଲେ। ସେ ତାଙ୍କ ବିମାନରୁ ଆର-୭୩ କ୍ଷେପଣାସ୍ତ୍ର ମାଡ଼ କରିଥିଲେ। ଏଥିରେ ପାକିସ୍ତାନର ଗୋଟିଏ ଏଫ-୧୬ ବିମାନ ପାକ୍ ଅଧିକୃତ ଅଞ୍ଚଳରେ ଖସି ପଡ଼ିଥିଲା। ତେବେ ପିଛା କରିବା ସମୟରେ ତାଙ୍କର ବିମାନ ପାକ୍ ଅଧିକୃତ ଅଞ୍ଚଳରେ ପଶି ଯାଇଥିଲା। ଏହି ସମୟରେ ଏଫ-୧୬ରୁ ତାଙ୍କ ବିମାନକୁ ଦୁଇଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା। ତେବେ ଗୋଟିଏ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏହାପରେ ଅଭିନନ୍ଦନ ତୁରନ୍ତ ପାରାଚ୍ୟୁଟ୍‌ ସହାୟତାରେ ତଳକୁ ଡେଇଁ ପଡ଼ିଥିଲେ ଏବଂ ସେ ପାକିସ୍ତାନ ପଟେ ଓହ୍ଲାଇବା ପରେ ତାଙ୍କୁ ପାକ୍‌ ସେନା ତୁରନ୍ତ ବନ୍ଦୀ କରିନେଇଥିଲେ।

ସମ୍ବନ୍ଧିତ ଖବର