୨୪ଟି ସଂସଦୀୟ କମିଟି ପୁନର୍ଗଠିତ; ଜୁଏଲ ପ୍ରତିରକ୍ଷା, ଭର୍ତ୍ତୃହରି ଶ୍ରମ ସଂସଦୀୟ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ୨୪ଟି ସଂସଦୀୟ କମିଟିର ପୁର୍ନଗଠନ କରାଯାଇଛି। ‌‌ରାଜ୍ୟସଭା ଓ ଲୋକସଭା ସଚିବାଳୟ ପକ୍ଷରୁ ଜାରି ବୁଲେଟିନ୍‌ରେ ଏହି ସୂଚନା ଦିଆଯାଇଛି। ଦୁଇଟି ସଂସଦୀୟ କମିଟିରେ ଓଡ଼ିଶାର ଦୁଇ ସାଂସଦ ଅଧ୍ୟକ୍ଷ ରହିଛନ୍ତି। ୩୧ ଜଣିଆ ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଜୁଏଲ ଓରାମ ଏବଂ ୩୧ ଜଣିଆ ଶ୍ରମ ସଂସଦୀୟ କମିଟିର ଅଧ୍ୟକ୍ଷ ଭାବେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ନିଯୁକ୍ତ ହୋଇଛନ୍ତି।

ବୁଲେଟିନ୍‌ ଦିଆଯାଇଥିବା ସୂଚନା ଅନୁସାରେ ଭି. ବିଜୟ ସାଇଙ୍କ ଅଧ୍ୟକ୍ଷତାରେ ଗଠିତ ବାଣିଜ୍ୟ ସଂସଦୀୟ କମିଟିରେ ବିଜେଡି ସାଂସଦ ମଂଜୁଲତା ମଣ୍ଡଳ, ଡ. ବିନୟ ପି ସହସ୍ରବୁଦ୍ଧେଙ୍କ ଅଧ୍ୟକ୍ଷତାରେ ଗଠିତ ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡା ସଂସଦୀୟ କମିଟିରେ ବିଜେଡି ସାଂସଦ ଅନୁଭବ ମହାନ୍ତି, ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବରାଷ୍ଟ୍ର ବ୍ୟାପାର ସଂସଦୀୟ କମିଟିରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ଓ ସୁଜିତ କୁମାର, ସୁଶିଲ କୁମାର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ପର୍ସନେଲ୍‌, ପବ୍ଲିକ୍‌ ଗ୍ରିଭାନ୍ସେସ, ଆଇନ ଓ ନ୍ୟାୟ ସଂସଦୀୟ କମିଟିରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ଓ ବିଜେପିର ସାଂସଦ ସୁରେଶ ପୁଜାରୀ, ଜୟରାମ ରମେଶଙ୍କ ଅଧ୍ୟକ୍ଷତାରେ ଗଠିତ ବିଜ୍ଞାନ, କାରିଗରୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ସଂସଦୀୟ କମିଟି‌ରେ ବିଜେଡି ସାଂସଦ ଏନ୍‌. ଭାସ୍କର ରାଓ ଏବଂ ମହେଶ ସାହୁ, ଟି.ଜି. ଭେଙ୍କେଟେଶଙ୍କ ଅଧ୍ୟକ୍ଷତାରେ ଗଠିତ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସଂସଦୀୟ କମିଟିରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ରମେଶ ଚନ୍ଦ୍ର ମାଝୀ, ରାକେଶ ସିଂହଙ୍କ ଅଧ୍ୟକ୍ଷତା‌ରେ ଗଠିତ କୋଇଲା ଓ ଇସ୍ପାତ ସଂସଦୀୟ କମିଟିରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା, ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ସଂସଦୀୟ କମିଟିରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଜେପି ସାଂସଦ ନୀତିଶ ଗଙ୍ଗଦେବ, ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଅର୍ଥ ସଂସଦୀୟ କମିଟିରେ ବିଜେଡି ସାଂସଦ ଡ. ଅମର ପଟ୍ଟନାୟକ ଓ ପିନାକୀ ମିଶ୍ର, ସୁଦୀପ ବନ୍ଦୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ସଂସଦୀୟ କମିଟିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା, ରମେଶ ବିଦୁଡ଼ିଙ୍କ ଅଧ୍ୟକ୍ଷତାରେ ଗଠିତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସଂସଦୀୟ କମିଟିରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ରାଧାମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ରେଲୱେ ସଂସଦୀୟ କମିଟିରେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ଚନ୍ଦ୍ରାଣୀ ମୁର୍ମୁ ଏବଂ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରମା ଦେବୀଙ୍କ ଅଧ୍ୟକ୍ଷତାରେ ଗଠିତ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସଂସଦୀୟ କମିଟିରେ ବିଜେଡି ସାଂସଦ ମମତା ମହାନ୍ତ ଓ ପ୍ରମିଳା ବିଶୋୟୀ, ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ସହରାଂଚଳ ବିକାଶ ସଂସଦୀୟ କମିଟିରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଡ. ସଂଜୟ ଜୟସ୍ବାଲଙ୍କ ଅଧ୍ୟକ୍ଷତାରେ ଗଠିତ ଜଳ ସଂପଦ ସଂସଦୀୟ କମିଟିରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ ସଦସ୍ୟରୂପେ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର