ଓଡ଼ିଶାରେ ୨୦୧୬ରୁ ୨୦୨୦ ଫେବୃଆରୀ ସୁଦ୍ଧା ମାଓ ହିଂସାରେ ୨୪ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୧୬ରୁ ୨୦୨୦ ଫେବୃଆରୀ ସୁଦ୍ଧା ସମୁଦାୟ ୨୯୮ ମାଓ ହିଂସା ଅନ୍ତର୍ଗତ ୨୪ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଓଡ଼ିଶା ସମେତ ୧୦ଟି ମାଓ ପ୍ରବଣ ରାଜ୍ୟରେ ୨୦୧୬ରୁ ୨୦୨୦ ଫେବ୍ରୁଆରି ସୁଦ୍ଧା ସମୁଦାୟ ୩୫୯୩ ମାଓ ହିଂସା ଘଟିଥିବାବେଳେ ଏଥିରେ ୨୬୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା‌ ଉଲ୍ଲେଖ ଅଛି।

ରିପୋର୍ଟରେ ପୁଲିସ ଆଧୁନିକୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାରେ ଗତ ୪ ବର୍ଷରେ ସମୁଦାୟ ୯୨.୮ କୋଟି ଟଙ୍କା ମଞ୍ଜୁର କରାଯାଇଥିବା କୁହାଯାଇଛି। ୨୦୧୬-୧୭ରେ ୨୬.୨ କୋଟି, ୨୦୧୭-୧୮ରେ ୧୯.୮ କୋଟି, ୨୦୧୮-୧୯ ରେ ୩୫.୦ କୋଟି ଏବଂ ୨୦୧୯-୨୦ରେ ୧୧.୭ କୋଟି ଟଙ୍କା ଓଡ଼ିଶା ପାଇଁ ମଞ୍ଜୁରି କରାଯାଇଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ସୁରକ୍ଷାଜନିତ ବ୍ୟୟ ଯୋଜନାରେ ଓଡ଼ିଶାରେ ଗତ ୪ ବର୍ଷରେ ସମୁଦାୟ ୧୬୭.୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଇଛି। ଏତଦ୍‌ବ୍ୟତୀତ ସ୍ବତନ୍ତ୍ର ଭିତ୍ତିଭୂମି ନିର୍ମାଣ ସକାଶେ ଓଡ଼ିଶାକୁ ୮.୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର