୨୪ ବର୍ଷର ଯନ୍ତ୍ରଣା, ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି

ନୂଆଦିଲ୍ଲୀ:   ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ରେ ୧୯୯୪ ମସିହାର ବହୁଚର୍ଚ୍ଚିତ ଗୁପ୍ତଚର ବୃତ୍ତି ମାମଲାରେ ସୁପ୍ରିମ୍‌ କୋର୍ଟ ଗତକାଲି  ଇସ୍ରୋ ବୈଜ୍ଞାନିକ ଏସ୍‌. ନମ୍ବି ନାରାୟଣନଙ୍କୁ ସଂପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ  ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ  ନିର୍ଦ୍ଦେଶ ଦେବା ଘଟଣା ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ନାରାୟଣନଙ୍କୁ ୨୪ ବର୍ଷ ପୂର୍ବେ କେରଳ ପୁଲିସ ବିନା କୌଣସି ପ୍ରମାଣରେ ଗିରଫ କରିଥିଲା।  ଗିରଫ କରାଯିବା ପରେ ନାରାୟଣନଙ୍କୁ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ତେବେ ଯେଉଁ ଅପରାଧ ପାଇଁ ନାରାୟଣନଙ୍କୁ ଗିରଫ କରାଯାଇଥିଲା ପ୍ରକୃତରେ  ସେଭଳି କିଛି ଘଟି ହିଁ ନଥିଲା। କେରଳ ପୁଲିସ ତାଙ୍କୁ କ୍ରୟୋଜେନିକ୍‌ ଇଂଜିନ ନିର୍ମାଣ ସଂପର୍କିତ କେତେକ ଦସ୍ତାବିଜ ଚୋରି କରି ମାଳଦ୍ୱୀପ ରାସ୍ତାରେ ପାକିସ୍ତାନ ପଠାଇଥିବା ଅଭିଯୋଗରେ ଗିରଫ କରିଥିଲା। ତେବେ ଅସଲ କଥା ହେଲା କ୍ରାୟୋଜେନିକ ଇଂଜିନ ନିର୍ମାଣ ସଂପର୍କିତ ଦସ୍ତାବିଜ୍‌ ସେତେବେଳେ ପ୍ରସ୍ତୁତ ହିଁ ହୋଇନଥିଲା ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଅକ୍ଟୋବର ୧୯୯୪ରେ ମାଳଦ୍ୱୀପର ନାଗରିକ ମରିୟମ ରାସ୍‌୍‌ଦିଙ୍କୁ ଥିରୁଅନନ୍ତପୁରମରୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଏକ ଗୁପ୍ତଚର ର‍୍ୟାକେଟ୍‌ର ସଦସ୍ୟ ବୋଲି ପୁଲିସ ଦର୍ଶାଇବା ସହ ତାଙ୍କ ମାଧ୍ୟମରେ ନାରାୟଣନ ଗୋପନୀୟ ଫାଇଲ୍‌ ପାକିସ୍ତାନକୁ ଦେଇଥିବା ଦର୍ଶାଇଥିଲେ।

ଗୁପ୍ତଚର ବୃତ୍ତି ମାମଲାରେ ନାରାୟଣନଙ୍କୁ ନଭେମ୍ବର ୧୯୯୪ରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିଲେ ମଧ୍ୟ ୫୦ ଦିନ ଧରି ତାଙ୍କୁ ହାଜତରେ ରଖି ନିର୍ଯାତନା ଦିଆଯାଇଥିଲା। ଜାନୁଆରି ୧୯୯୫ରେ ନାରାୟଣନଙ୍କୁ ଜାମିନ ମିଳିଥିଲା। ଏପ୍ରିଲ ୧୯୯୬ରେ ସିବିଆଇ ଏହି ମାମଲା ମିଥ୍ୟା ଉପରେ ଆଧାରିତ ବୋଲି ଦର୍ଶାଇବା ସହ ମାମଲା ବନ୍ଦ କରିବାକୁ ଅନୁରୋଧ କରିଥିଲା। ମେ ୧୯୯୬ରେ ବିଚାରଣକାରୀ ଅଦାଲତ ମାମଲାକୁ ଖାରଜ କରି ସମସ୍ତଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ୧୯୯୬ରେ  କେରଳ ବାମମେଣ୍ଟ ସରକାର ପୁଣି ମାମଲାର ଦ୍ୱିତୀୟ ବାର ତଦନ୍ତ କରିବାକୁ ପଦକ୍ଷେପ ନେଲେ । ରାଜନୈତିକ କାରଣରୁ ଏଭଳି କରାଯାଇଥିଲା। ତେବେ ୧୯୯୮ରେ ସୁପ୍ରିମ୍‌ କୋର୍ଟ ମାମଲାକୁ ରଦ୍ଦ କରି ସବୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ। ୨୦୦୧ରେ ଏନ୍‌ଏଚ୍‌ଆର୍‌ସି ନାରାୟଣନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କହିଥିଲେ। କେରଳ ସରକାର ଏନ୍‌୍‌ଏଚ୍‌ଆର୍‌୍‌ସିର ଏହି ନିର୍ଦ୍ଦେଶକୁ ଅଦାଲତରେ ଚ୍ୟାଲେଂଜ କରିଥିଲେ। ୨୦୧୨ରେ କେରଳ ହାଇକୋର୍ଟ ଏନ୍‌ଏଚ୍‌୍‌ଆର୍‌୍‌ସିର ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଥିଲେ। ତେବେ ନାରାୟଣନ ତାଙ୍କର ସମ୍ମାନ ଫେରିପାଇବା ପାଇଁ ନ୍ୟାୟିକ ଲଢ଼େଇ ଜାରି ରଖିଥିଲେ ଏବଂ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୭ ଏପ୍ରିଲ୍‌ରେ ସୁପ୍ରିମ୍‌୍‌ କୋର୍ଟ ନାରାୟଣନଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ କରିଥିଲେ। ଗତକାଲି ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ ନାରାୟଣନଙ୍କୁ ନ୍ୟାୟ ପ୍ରଦାନ କରିଥିବା ବେଳେ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାସ୍ତା ଖୋଲିଦେଇଛି।

ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି

ନୂଆଦିଲ୍ଲୀ: ୨୪ ବର୍ଷର  ନ୍ୟାୟିକ ଲଢ଼େଇରେ ବିଜୟୀ ହୋଇଥିବା ପୂର୍ବତନ ଇସ୍ରୋ ବୈଜ୍ଞାନିକ ନମ୍ବି ନାରାୟଣନ କହିଛନ୍ତି ଯେ ଗିରଫ ହେବାପରେ ମୋତେ ବିନା କାରଣରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଦୀର୍ଘ ୫୦ ଦିନ ଧରି ହାଜତରେ ଅମାନୁଷିକ ବ୍ୟବହାରରେ ମୁଁ ଅତିଷ୍ଠ ହୋଇପଡ଼ିଥିଲି ଏବଂ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ତେବେ ମୋ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇବାକୁ ପୁଲିସର ଧମକ ମତେ ଶକ୍ତ କରିଥିଲା ଏବଂ ଜୀବନର ସବୁ ଶକ୍ତି ଖଟାଇ ଏହି ଅନ୍ୟାୟ ବିରୋଧରେ ଲଢ଼େଇ କରବାକୁ ନିଷ୍ପତ୍ତି ନେଇଥିଲି।

ସମ୍ବନ୍ଧିତ ଖବର