ନୂଆଦିଲ୍ଲୀ: ନିଜ ସାଙ୍ଗମାନଙ୍କୁ ମଦ ଓ ମାଂସ ଭୋଜିରେ ଆପ୍ୟାୟିତ କରିବା ପାଇଁ ଅର୍ଥ ଯୋଗାଡ଼ ଉଦ୍ଦେଶ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜନୈକ ୨୪ ବର୍ଷ ବୟସ୍କ ଛାତ୍ର ଏକ ଦାମିକା କ୍ୟାମେରା ଚୋରି କରି ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଦକ୍ଷିଣପୂର୍ବ ଦିଲ୍ଲୀର ତୁଗଲକବାଦ ଅଞ୍ଚଳରେ ରହୁଥିବା ୨୪ ବର୍ଷ ବୟସ୍କ ବିଶାଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ ତା’ର ସାଙ୍ଗମାନଙ୍କୁ ଏକ ମଦ ଓ ମାଂସ ଭୋଜିରେ ଅପ୍ୟାୟିତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ, ଏଥିପାଇଁ ତା ନିକଟରେ ଅର୍ଥର ଅଭାବ ଥିଲା। ପ୍ରସ୍ତାବିତ ମଦ ଓ ମାଂସ ଭୋଜି ପାଇଁ କେଉଁଠୁ ଓ କିପରି ଅର୍ଥ ଯୋଗାଡ଼ କରାଯାଇ ପାରିବ, ସେଇ ଚିନ୍ତାରେ ବିଶାଲ ଚିନ୍ତିତ ଥିଲା। ଦିନେ ବଜାରରେ ବୁଲୁବୁଲୁ ବିଶାଲ ଦେଖିଲା ଯେ ଜଣେ ଫଟୋଗ୍ରାଫର ତାଙ୍କର କ୍ୟାମେରା ବ୍ୟାଗକୁ ମଟର ସାଇକେଲରେ ଝୁଲାଇ ଏଟିଏମ୍‌ ଭିତରକୁ ଟଙ୍କା କଢ଼ିବା ପାଇଁ ପଶିଛନ୍ତି। ଏହାକୁ ଏହା ସୁଯୋଗ ବୋଲି ଭାବିନେଇ ବିକାଶ ମଟର ସାଇକେଲରେ ଥିବା ତାଙ୍କ କ୍ୟାମେରା ବ୍ୟାଗ୍‌ଟିକୁ ଧରି ସେଠାରୁ ଛୁ ମାରିଥିଲା।

publive-image

ପରେ ନିଜ କ୍ୟାମେରା ଚୋରି ହୋଇ ଯାଇଥିବା ଜାଣିବା ପରେ ଫଟୋଗ୍ରାଫର ଜଣକ ତାଙ୍କ କ୍ୟାମେରା ଚୋରି ବିଷୟରେ ପୁଲିସ୍‌ରେ ଅଭିଯୋଗ ଆଗତ କରିଥିଲେ। ପୁଲିସ୍‌ ଏହି ମାମଲାର ତଦନ୍ତ କରି ଏଟିଏମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଆଧାରରେ କ୍ୟାମେରା ଚୋର ବିଶାଳକୁ ଧରିଥିଲା। ହେଲେ, ବିଶାଲ ସେତେବେଳକୁ ଚୋରି କରିଥିବା ନିକନ ଏସ୍‌ଏଲ୍‌ଆର୍‌ କ୍ୟାମେରାକୁ ବିକି ବିକ୍ରୟ ଲବ୍ଧ ପଇସାରେ ସାଙ୍ଗମାନଙ୍କ ମଦ କିଣି ସାରିଥିଲା। ପରେ ବିଶାଲ ଠାରୁ କଥା କଥା ଆଦାୟ କରି ପୁଲିସ୍‌ ସେ ଯାହାକୁ ଚୋରି କରିଥିବା କ୍ୟାମେରା ବିକିଥିଲା, ତାଙ୍କ ଠାରୁ କ୍ୟାମେରାକୁ ଜବତ କରିଥିଲା। ତଦନ୍ତ କାଳରେ ବିଶାଲ ପୁଲିସ୍‌ ନିକଟରେ ସ୍ୱୀକାର କରି କହିଥିଲା ଯେ ପୂର୍ବରୁ ସେ ନିଜର ପକେଟ ଖର୍ଚ୍ଚ ତୁଲାଇବା ପାଇଁ ଏହିପରି ଅନେକ ଚୋରି କରିଛି।