ଚଳିତ ଲୋକସଭାରେ ୨୪୦ଟି ବିଲ୍‌ ପାରିତ ହୋଇଛି; ମହାରାଷ୍ଟ୍ର ସାଂସଦମାନେ ସବୁଠୁ ଅଧିକ ପ୍ରଶ୍ନ ପଚାରିଛନ୍ତି

ନୂଆଦିଲ୍ଲୀ: ଚଳିତ ଲୋକସଭାରେ ୨୦୧୪ ରୁ ୨୦୧୮ ମଧ୍ୟରେ ୨୭୪ଟି ବିଲ୍‌ରୁ ୨୪୦ଟି ବିଲ୍‌ ପାରିତ ହୋଇଥିବା କଥା ନିକଟରେ ‘ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଏବଂ ‘ନେସ୍‌ନାଲ୍‌ ଇଲେକ୍‌ସନ୍‌ ଓ୍ଵାଚ୍‌’ (ଏନଇଡବ୍ଲୁ) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି।

ଦିଲ୍ଲୀର ୭ ଜଣ ସାଂସଦଙ୍କର ସର୍ବାଧିକ ହାରାହାରି ଉପସ୍ଥାନ ରହିଛି। ସେମାନେ ୩୧୨ଟି ସିଟିଙ୍ଗ୍‌ରୁ ୨୮୯ଟିରେ ଉପସ୍ଥିତ ଥିଲେ। ନାଗାଲାଣ୍ଡ୍‌ର ୨ ଜଣ ସାଂସଦ ମାତ୍ର ୮୮ଟି ସିଟିଙ୍ଗ୍‌ରେ ଉପସ୍ଥିତ ରହି ସବୁ ଠାରୁ କମ୍‌ ଉପସ୍ଥାନ ରେକର୍ଡ କରିଛନ୍ତି।

ଏଥର ଲୋକସଭାରେ ୨୦୧୪ ଜୁନ୍‌ ୪ ତାରିଖରୁ ଡିସେମ୍ବର ୨୦, ୨୦୧୮ ମଧ୍ୟରେ ସମୁଦାୟ ୧୬ଟି ଅଧିବେଶନ ବସିଥିଲା।
ରାଜ୍ୟମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୫୦ ଜଣ ସାଂସଦ ସବୁଠୁ ଅଧିକ ପ୍ରଶ୍ନ ପଚାରିଥିଲେ। ପ୍ରତ୍ୟେକ ହାରାହାରି ୫୩୪ଟି ପ୍ରଶ୍ନ ପଚାରିଛନ୍ତି। ନାଗାଲାଣ୍ଡ୍‌ର ଦୁଇ ଜଣ ସାଂସଦ ସବୁଠୁ କମ୍‌, ପ୍ରତ୍ୟେକ ୧୨ଟି ଲେଖାଏଁ ପ୍ରଶ୍ନ ପଚାରିଛନ୍ତି।

ରାଜନୈତିକ ଦଳଗୁଡ଼ିକ ମଧ୍ୟରୁ ‘ଇଣ୍ଡିଆନ୍‌ ନେସ୍‌ନାଲ୍‌ ଲୋକ ଦଳ’ର (ଆଇଏନ୍‌ଏଲ୍‌ଡି) ଦୁଇଜଣ ସାଂସଦ ୧୬ତମ ଲୋକସଭାରେ ହାରାହାରି ସବୁଠୁ ଅଧିକ ଉପସ୍ଥାନ ରହିଛି। ସେମାନେ ୩୧୨ ସିଟିଙ୍ଗ୍‌ରୁ ୨୬୪ଟି ସିଟିଙ୍ଗ୍‌ରେ ଉପସ୍ଥିତ ଥିଲେ। ‘ନେସ୍‌ନାଲ୍‌ ପିପଲ୍‌ସ୍‌ ପାର୍ଟି’ରୁ ୨ ଜଣ ସାଂସଦ ମାତ୍ର ୮୫ଟି ସିଟିଙ୍ଗ୍‌ରେ ହାଜର ହୋଇ ସବୁଠୁ କମ୍‌ ଉପସ୍ଥାନ ରେକର୍ଡ କରିଛନ୍ତି।

ଶିବସେନାର ୧୮ ଜଣ ସାଂସଦ ସର୍ବାଧିକ ପ୍ରଶ୍ନ, ଜଣକା ହାରାହାରି ୬୩୯ଟି ପ୍ରଶ୍ନ, ପଚାରିଛନ୍ତି। ଦୁଇ ଜଣ ଏନ୍‌ପିପି ସାଂସଦ ସବୁଠୁ କମ୍‌ ସଂଖ୍ୟକ ପ୍ରଶ୍ନ ଜଣକା ହାରାହାରି ମାତ୍ର ୧୦ଟି ପ୍ରଶ୍ନ ପଚାରିଛନ୍ତି।

ନେସ୍‌ନାଲିଷ୍ଟ୍‍ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଏଲ୍‌, ଧନଞ୍ଜୟ ମହାଡ଼ିକ ଏବଂ ବିଜୟସିଂହ ମୋହିତେ ପାଟିଲ୍‌ ସବୁଠୁ ଅଧିକ ସଂଖ୍ୟକ ପ୍ରଶ୍ନ ପଚାରିଛନ୍ତି।

ସମ୍ବନ୍ଧିତ ଖବର