ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ୨୫% ସକ୍ରିୟ ମାମଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ସକ୍ରିୟ ମାମଲା ତୁଳନାରେ ପ୍ରାୟ ୩ ଗୁଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨୭ ଲକ୍ଷ ନିଟକବର୍ତ୍ତୀ ହୋଇଥିବାବେଳେ ତାହାର ମାତ୍ର ୨୫ ପ୍ରତିଶତ ସକ୍ରିୟ ମାମଲା । ଦେଶରେ ପ୍ରାୟ ୧୯ ଲକ୍ଷ ୭୦ ହଜାର ରୋଗୀ ସୁସ୍ଥ ହେଲେଣି ଓ ଦୈନିକ ହାରାହାରି ୫୫ ହଜାର ରୋଗୀ ସୁସ୍ଥ ହେଉଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮ ଲକ୍ଷ ୯୯ ହଜାର କରୋନା ପରୀକ୍ଷା କରାଯାଇଛି ।
ସେ କହିଛନ୍ତି ଯେ କରୋନା ମହାମାରୀ ଆରମ୍ଭ ସମୟରେ ଭାରତ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ଆମଦାନି କରୁଥିଲା । କିନ୍ତୁ ଏବେ ଭାରତ ପିପିଇର ରପ୍ତାନି କରୁଛି । କେବଳ ଜୁଲାଇ ମାସରେ ଭାରତ ୨୩ ଲକ୍ଷ ପିପିଇ ରପ୍ତାନି କରିଛି । ଏସବୁ ପିପିଇ ଆମେରିକା, ବ୍ରିଟେନ, ୟୁଏଇ, ସେନେଗାଲ, ସ୍ଲୋଭେନିଆ ଆଦି ଦେଶକୁ ରପ୍ତାନି କରାଯାଇଛି । ଅଗଷ୍ଟ ମାସରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ପିପିଇ ଆମେରିକା ଓ ସ୍ଲୋଭେନିଆକୁ ରପ୍ତାନି କରିବାକୁ ମଂଜୁରୀ ଦିଆଯାଇଛି । ସେହିପରି ଭାରତରେ ଏବେ ଭେଣ୍ଟିଲେଟର ମଧ୍ୟ ରପ୍ତାନି କରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର