କେଜ୍ରିୱାଲଙ୍କ ଦାବି: ୨୫ କଂଗ୍ରେସ ବିଧାୟକ ଆପ୍‌ରେ ମିଶିବେ, ଚନ୍ନିଙ୍କ ଉପରେ ବର୍ଷିଲେ, ସିଦ୍ଧୁଙ୍କୁ ପ୍ରଶଂସା

ଅଟୋ ଡ୍ରାଇଭରଙ୍କ ବକେୟା ଚାଲାଣ ଛାଡ଼ କରିବେ ଚନ୍ନି, ପଂଜାବରେ ଜୋରଦାର ହେଲା ନିର୍ବାଚନୀ ପ୍ରଚାର

ଚଣ୍ଡିଗଡ଼: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପଂଜାବରେ ଅଛନ୍ତି। ପଂଜାବରେ ଦଳର ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଲିପ୍ତ ଥିବା କେଜ୍ରିୱାଲ ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କେଜ୍ରିୱାଲ କହିଛନ୍ତି, ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଲୋକଙ୍କ ପାଇଁ କଥା କହୁଛନ୍ତି। କିନ୍ତୁ ଚନ୍ନି ତାଙ୍କୁ ଦବାଇ ଦେବାପାଇଁ ଚେଷ୍ଟା କରୁଛନ୍ତି। ଚନ୍ନି ଗତକାଲି ଏକ କାର୍ଯ୍ୟକ୍ରମରେ କହିଥିଲେ ସେ ପଂଜାବରେ ବାଲି ମାଫିଆ ଶେଷ କରିଦେଇଛନ୍ତି ଏବଂ ବାଲି କିଲୋ ପିଛା ୫ ଟଙ୍କା କରିଦେଇଛନ୍ତି। କିନ୍ତୁ ସଙ୍ଗେ‌ସଙ୍ଗେ ଏହାର ଜବାବ ଦେଇ ସିଦ୍ଧୁ କହିଛନ୍ତି ‘ ଏହା ସମ୍ପୂର୍ଣ୍ଣ ମିଛ କଥା। ବାଲି ମୂଲ୍ୟ ଏବେ ବି ୨୦ ଟଙ୍କା ଅଛି’। ସିଦ୍ଧୁ ଏହା ମଧ୍ୟ କହିଛନ୍ତି ଯେ, ଚନ୍ନି ଯେଉଁସବୁ ପ୍ରତିଶ୍ରୁତି ଦେଇଛନ୍ତି ତାହା ମିଥ୍ୟା। ସିଦ୍ଧୁ ଜନସାଧାରଣଙ୍କ ପାଇଁ କଥା କହୁଛନ୍ତି। କିନ୍ତୁ ଚନ୍ନି ତାଙ୍କୁ ଦବାଇ ଦେବାକୁ ‌ଚେଷ୍ଟା କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ଅନ୍ୟପକ୍ଷେ କେଜ୍ରିୱାଲ ଅନ୍ୟ ଏକ ବଡ଼ ଘୋଷଣା କରିଛନ୍ତି। ୨୫ କଂଗ୍ରେସ ବିଧାୟକ ଆପ୍‌ରେ ଯୋଗ ଦେବାକୁ ଇଚ୍ଛୁକ ଅଛନ୍ତି ଏବଂ ତାଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି।

କେଜ୍ରିୱାଲ ଆଜି ଅମୃତସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ରାଜ୍ୟରେ ଶିକ୍ଷା କ୍ଷେତ୍ରକୁ ପରିବର୍ତ୍ତନ ପାଇଁ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି। ଠିକା ଶିକ୍ଷକଙ୍କ ଚାକିରିକୁ ନିୟମିତ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି, ୧୮ ବର୍ଷର ଅଭିଜ୍ଞତା ପରେ ବି ପଂଜାବ ଶିକ୍ଷକମାନେ ସର୍ବାଧିକ ୧୦ ହଜାର ଟଙ୍କା ଦରମା ପାଉଛନ୍ତି। ଦିଲ୍ଲୀରେ ଏପରିକି ଅଣକୁଶଳୀ ଶ୍ରମିକମାନେ ବି ଅତି କମ୍‌ରେ ୧୫ ହଜାର ଟଙ୍କା ଦରମା ପାଉଛନ୍ତି। ସେହିପରି ପଂଜାବରେ ସବୁ ସ୍କୁଲ୍‌ ଗୁଡ଼ିକୁ ଉନ୍ନତ କରାଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଚନ୍ନି ମୁଖ୍ୟମନ୍ତ୍ରୀ ହେବାପରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବାରୁ କେଜ୍ରିୱାଲ୍‌ ତାଙ୍କୁ ସମାଲୋଚନା କରିଛନ୍ତି। କେଜ୍ରିୱାଲ କହିଛନ୍ତି, ଚନ୍ନି ମୁଖ୍ୟମନ୍ତ୍ରୀ ହେବାପରେ ରାଜ୍ୟରେ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ପୂରଣ କରିନାହାନ୍ତି।

ଲୁଧିଆନା: ପଂଜାବ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଭୋଟର ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ସବୁ ପ୍ରମୁଖ ଦଳମାନେ ଲାଗି ପଡ଼ିଛନ୍ତି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଟୋ ଡ୍ରାଇଭରଙ୍କୁ ଭେଟି ସେମାନଙ୍କ ସହ ନୈଶ୍ୟ ଭୋଜନ କରିବାପରେ ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଅଟୋ ଡ୍ରାଇଭରମାନଙ୍କୁ ସୁସମ୍ବାଦ ଦେଇଛନ୍ତି। ଅଟୋ ରିକ୍ସା ଡ୍ରାଇଭରଙ୍କ ବକେୟା ଚାଲାଣ ଛାଡ଼ କରାଯିବ ଏବଂ ‌ସେମାନଙ୍କୁ ନୂଆ ପଂଜିକରଣ ସାର୍ଟିଫିକେଟ୍‌ ଜାରି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୁଧିଆନାର ଗିଲ୍‌ ଚୌକ ଅଞ୍ଚଳରେ ଅଟୋ ରିକ୍ସା ଡ୍ରାଇଭର୍‌ ମାନଙ୍କ ସହ ଏକ ବୈଠକ କରିବାପରେ ଚନ୍ନି ଏହି ଘୋଷଣା କରିଛନ୍ତି। କେଜ୍ରିୱାଲ୍‌ ଏବେ ପଂଜାବ ଗସ୍ତରେ ଅଛନ୍ତି। କେଜ୍ରିୱାଲ୍‌ଙ୍କ ‘ଅଟୋ ସମ୍ବାଦ କାର୍ଯ୍ୟକ୍ରମର’ କିଛି ଘଣ୍ଟା ପୂର୍ବରୁ ଚନ୍ନି ଆଜି ଏହି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ମୋଗାରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଥିପାଇଁ ଚନ୍ନିଙ୍କୁ ସମାଲୋଚନା କରିଛନ୍ତି। ଚନ୍ନି ଆଜି ଶସ୍ୟ ବଜାରକୁ ଯାଉଥିବାବେଳେ ବାଟରେ ଅଟକି ଅଟୋ ରିକ୍ସା ଡ୍ରାଇଭରଙ୍କ ସମସ୍ୟ‌ା ସଂକ୍ରାନ୍ତରେ ବୁଝିଥିଲେ। ଚନ୍ନିଙ୍କ ସହ ଆଜି ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର