ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ପାନଭେଲ୍‌ ସ୍ଥିତ ଫାର୍ମହାଉସ୍‌ ନିକଟରେ ହତ୍ୟା ନିମନ୍ତେ ୨୫ଲକ୍ଷ ଟଙ୍କା ସୁପାରୀ ଦିଆଯାଇଛି। ଆଜି ନଭି ମୁମ୍ବାଇ ପୁଲିସ ପକ୍ଷରୁ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଏଭଳି ଚାଞ୍ଚଲ୍ୟକର   ତଥ୍ୟ ରହିଛି। ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ପୁଲିସ ୫ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି। ସଲମାନ ଖାନ୍‌ଙ୍କୁ ହତ୍ୟା ନିମନ୍ତେ ଲରେନ୍ସ ବିଷ୍ଣୋଇ ଗାଙ୍ଗ୍‌ ସୁପାରୀ ନେଇଛି। ଏଥିପାଇଁ ଅଭିଯୁକ୍ତମାନେ ପାକିସ୍ତାନରୁ ଏକେ ୪୭, ଏକେ-୯୨, ଏମ୍‌-୬, ତୁର୍କୀ ନିର୍ମିତ ଜିଗାନା ବନ୍ଧୁକ  କିଣିବାକୁ ଯୋଜନା କରିଥିଲେ। ହତ୍ୟା ନିମନ୍ତେ ୧୮ ବର୍ଷରୁ କମ୍‌ ବୟସର କିଶୋରଙ୍କୁ ଯୋଗାଡ଼ କରାଯାଇଥିଲା। ଏହି କିଶୋରମାନେ ପୁଣେ, ରାଇଗଡ଼, ନଭି ମୁମ୍ବାଇ, ଥାଣେ ଓ ଗୁଜରାଟରେ ନିୟୋଜିତ ଥିଲେ। ୬୦-୭୦ ଜଣ ବ୍ୟକ୍ତି ସଲମାନ ଖାନ୍‌ଙ୍କ ଉପରେ ବିଶେଷତଃ ବାନ୍ଦ୍ରା ବାସଭବନ, ପାନଭେଲ୍‌ ଫାର୍ମହାଉସ୍‌ ଓ ଗୋରେଗାଓଁ ଫିଲ୍ମସିଟି ଉପରେ ନଜର ରଖିଥିଲେ। ସଲମାନଙ୍କୁ ଏପ୍ରିଲ୍‌ ୨୦୨୩ରୁ ଏପ୍ରିଲ୍‌ ୨୦୨୪ ମଧ୍ୟରେ ହତ୍ୟା କରିବାକୁ ଯୋଜନା ହୋଇଥିଲା।

Advertisment

ଗୁରୁବାର ହରିୟାଣା ପାନିପତରୁ ଗିରଫ ଅନ୍ୟତମ ଅଭିଯୁକ୍ତ ସୁଖା ହିଁ ଗିରଫ ସୁଟର ଅଜୟ କାଶ୍ୟପ ଓରଫ ଏକେ ଓ ଅନ୍ୟ ୪ଜଣଙ୍କୁ ଯୋଗାଡ଼ କରିଥିଲା। ତେବେ  ସଲମନଙ୍କ କଡ଼ା ସୁରକ୍ଷା, ବୁଲେଟ୍‌ପ୍ରୁଫ୍‌ ଗାଡ଼ି ଯୋଗୁଁ ଯୋଜନାର ସଫଳତା ପାଇଁ   ଅତ୍ୟାଧୁନିକ ଅସ୍ତ୍ରର ଆବଶ୍ୟକତା ରହିଛି ବୋଲି କାଶ୍ୟପ  ସୁଖାକୁ କହିଥିଲା। ଏଣୁ ବରାଦ ମୁତାବକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବାକୁ ସୁଖା ପାକିସ୍ତାନର ଅସ୍ତ୍ର ଦଲାଲ ଦୋଗାର୍‌ ସହ ଭିଡିଓ କଲ୍‌ରେ କଥା ହୋଇଥିଲା। ଏହି ଅସ୍ତ୍ର ଯୋଗାଇବା ନିମନ୍ତେ ୫୦ ପ୍ରତିଶତ ଅଗ୍ରିମ ଟଙ୍କା ଦେବାକୁ ସୁଖା ରାଜି ହୋଇଥିଲା। ଅସ୍ତ୍ରଶସ୍ତ୍ର ଭାରତ ପହଞ୍ଚିବା ପରେ ବଳକା ୫୦ ପ୍ରତିଶତ ଅର୍ଥ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କାନାଡାରେ ଥିବା ଗ୍ୟାଙ୍ଗ୍‌ଷ୍ଟର ଗୋଲ୍‌ଡି ବ୍ରାର୍‌ ଓ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶକୁ ସମସ୍ତ ସାର୍ପ ସୁଟର ଅପେକ୍ଷା କରିରହିଥିଲେ। ହତ୍ୟା ପରେ ସେମାନେ କନ୍ୟାକୁମାରୀରେ ଏକତ୍ରିତ ହେବାକୁ ନିଷ୍ପତ୍ତି ନେଇଥିଲେ। ସେଠାରୁ ବୋଟ୍‌ରେ ଶ୍ରୀଲଙ୍କା ଯାଇଥାନ୍ତେ ଏବଂ ସେଠାରୁ ପୁଣି ଭାରତ ସହ ପ୍ରତ୍ୟର୍ପଣ ଚୁକ୍ତି ନଥିବା ଦେଶକୁ ଚାଲିଯିବାକୁ ଯୋଜନା କରିଥିଲେ ବୋଲି ପୁଲିସ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି।