କରୋନା ଯୋଗୁଁ ସାରା ବିଶ୍ୱରେ ୨.୫ କୋଟି ଲୋକ ନିଯୁକ୍ତି ହରାଇବେ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱର ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବାର ଆଶଙ୍କା ଦେଖାଦେଇଛି । ବିଶେଷକରି ଅନୁନ୍ନତ ଓ ବିକାଶଶୀଳ ଦେଶମାନେ ଏହା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ବିଶ୍ୱରେ ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ବଢିଚାଲିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

ଜାତିସଂଘ ଅଧିନସ୍ଥ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ପ୍ରକାଶିତ ଏକ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରାୟ ୨ କୋଟି ୫୦ ଲକ୍ଷ ଲୋକ ପ୍ରତ୍ୟକ୍ଷଭାବେ ନିଯୁକ୍ତି ହରାଇବେ । ଏତେ ସଂଖ୍ୟାରେ ଛଟେଇ ବିଶ୍ୱ ପାଇଁ ଗୁରୁତର ମାନବୀୟ ପରିସ୍ଥିତି ସୃଷ୍ଟି କରିବ । କେବଳ ଏତିକି ନୁହେଁ ବିଶ୍ୱରେ ବେରୋଜଗାରଙ୍କ ସଂଖ୍ୟା ବଢିଚାଲିବ ।

ଆଉ ଏକ ରିପୋର୍ଟ ଅନୁସାରେ କରୋନା ଭାଇରସ ଯୋଗୁଁ କେବଳ ଭାରତୀୟ ପର୍ଯ୍ୟଟନ ଓ ହୋଟେଲ ଶିଳ୍ପରେ ପ୍ରାୟ ୩ କୋଟି ୮୦ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରେକ୍ଷଭାବେ ନିଯୁକ୍ତି ହରାଇବେ । ଭାରତୀୟ ପର୍ଯ୍ୟଟନ ଓ ହୋଟେଲ ମହାସଂଘ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଏହାକୁ ସୀମିତ କରିବାକୁ ହେଲେ ଅନ୍ତର୍ଜାତୀୟ ସ୍ତରରେ ମିଳିତ ଉଦ୍ୟମ ଆବଶ୍ୟକ ହେବ । ନିଯୁକ୍ତି ଗୁଡ଼ିକର ସୁରକ୍ଷା ପାଇଁ ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେବାକୁ ହେବ, ଶିଳ୍ପସଂସ୍ଥାଗୁଡ଼ିକୁ ଆର୍ଥିକ ସହାୟତା ଦେବାକୁ ହେବ । ଆଇଏଲଓ ସ୍ପଷ୍ଟ କରିଦେଇଛି ଯେ କରୋନା ଭାଇରସ ଆଉ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ହୋଇରହିନାହିଁ, ଏହା ବିଶ୍ୱ ପାଇଁ ଏକ ଆର୍ଥିକ ସଂକଟରେ ପରିଣତ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର