ହତ୍ୟା ଅଭିଯୁକ୍ତକୁ କୋର୍ଟରୁମ୍‌ରେ ହତ୍ୟା, ୨୫ ରାଉଣ୍ଡ୍ ଗୁଳି ଫୁଟିଲା, ଅଳ୍ପକେ ବର୍ତ୍ତିଲେ ବିଚାରପତି

୩ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ବିଜ୍‌ନୋର୍‌: ଦୁଇ ଦୁଇଟି ହତ୍ୟା ଘଟଣାର ଜଣେ ଅଭିଯୁକ୍ତକୁ ଆଜି ଉତ୍ତର ପ୍ରଦେଶର ବି‌ଜ୍‌ନୋର ସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌)ଙ୍କ କୋର୍ଟରୁମ୍ ଭିତରେ ଗୁଳିକରି ହତ୍ୟା କରାଯାଇଛି। ସିଜେଏମ୍‌ଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଥିବାବେଳେ ୩ ଜଣ ଦୁର୍ବୃତ୍ତ ମୁଖ୍ୟ ଅଭିଯୁକ୍ତ ଶାହନୱାଜ୍‌କୁ ଗୁଳି କରି ହତ୍ୟା କରିଦେଇଛନ୍ତି। ଏଥିରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ପୁଲିସ ଓ ଜଣେ ମୋହରିର ଅଛନ୍ତି। ବିଚାରପତିଙ୍କ ସାମ୍ନାରେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇ ଅଭିଯୁକ୍ତକୁ ହତ୍ୟା କରିବା ‌ବେଳେ କୋର୍ଟ ପରିସରରେ ବିଚାରପତି, ଆଇନଜୀବୀ ଓ ଅନ୍ୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ସିଜେଏମ୍ ଯୋଗେଶ କୁମାର ଗୁଳିମାଡ଼ରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।
କୋର୍ଟରୁମ୍ ପରିସରକୁ ୩ ଜଣ ଦୁର୍ବୃତ୍ତ ପିସ୍ତଲ ନେଇ ପ୍ରବେଶ କରିବା ସହ ଏଭଳି କାଣ୍ଡ ଭିଆଇଛନ୍ତି। ଏହି ଦୁର୍ବୃତ୍ତମାନଙ୍କୁ ପରେ ପୁଲିସ କୋର୍ଟ ପରିସରରୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୬ ମାସ ପୂର୍ବେ ହତ୍ୟାର ଶିକାର ହୋଇଥିବା ବିଏସପି ନେତା ଏହସାନ ଅନସାରିର ପୁଅ ସାହିଲ ରହିଛି। ତେଣୁ ଏହି ହତ୍ୟା ପ୍ରତିହିଂସା ଜନିତ ବୋଲି କୁହାଯାଉଛି।
ପୁଲିସର କହିବାନୁଯାୟୀ, ନଜିବଗଡ଼ଠାରେ ବରିଷ୍ଠ ବିଏସପି ନେତା ତଥା ନଜିବଗଡ଼ ବିଧାନସଭା କ୍ଷେତ୍ର ଦାୟିତ୍ବରେ ଥିବା ଏହସାନ ଅନସାରି ଏବଂ ତାଙ୍କ ଭଣଜାଙ୍କୁ ଚଳିତବର୍ଷ ମେ ୨୮ ତାରିଖରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ ୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶାହନୱାଜ ଏବଂ ଜବାର ରହିଥିଲେ। ହତ୍ୟା ମାମଲାର ଏହି ଦୁଇ ଅଭିଯୁକ୍ତଙ୍କୁ ଆଜି ବିଚାର ପାଇଁ ଦିଲ୍ଲୀର ତିହାର ଜେଲରୁ ବିଜନୋର ସିଜେଏମ୍‌ଙ୍କ କୋର୍ଟକୁ ଅଣାଯାଇଥିଲା। ପୁଲିସର କହିବାନୁଯାୟୀ, ଉଭୟ ଶାହନୱାଜ ଏବଂ ଏହସାନ ବିବାଦୀୟ ଜମିକୁ କମ୍ ମୂଲ୍ୟରେ କିଣି ଅଧିକ ଦାମରେ ବିକ୍ରି କରୁଥିଲେ। ଯଦି କେହି ସେମାନଙ୍କ କାର୍ଯ୍ୟକୁ ବିରୋଧ କରୁଥିଲା ସେମାନେ ତାକୁ ଧମକ ଦେଉଥିଲେ। ଉଭୟ ଗୋଟିଏ ପ୍ରକାର ବ୍ୟବସାୟରେ ଥିବାରୁ ସେମାନଙ୍କ ମଧ୍ୟରେ ବ୍ୟାବସାୟିକ ଶତ୍ରୁତା ରହିଥିଲା। ନଜିବଗଡ଼ରେ ଏହସାନର ରାଜନୈତିକ ପ୍ରଭାବ ରହିଥିଲା। ଏଥିସହିତ ତା ନିକଟରେ ଗୁଣ୍ଡାଗର୍ଦ୍ଦି କରୁଥିବା ଲୋକ ମଧ୍ୟ ଥିଲେ। କିନ୍ତୁ ଶାହନୱାଜ ନଜିବଗଡ଼ ଆସନରୁ ବିଧାୟକ ହେବା ଇଚ୍ଛା ରଖିଥିଲେ। ଅନ୍ୟପକ୍ଷରେ ଏହସାନ ମଧ୍ୟ ଏଥିପାଇଁ ଦାବିଦାର ଥିଲା। ତେଣୁ ଶାହନୱାଜ ରାସ୍ତାରେ ଏହସାନ ବଡ଼ କଣ୍ଟା ହୋଇ ରହିଥିଲା। ତେଣୁ ଏହସାନକୁ ହଟାଇବା ପାଇଁ ଶାହନୱାଜ ଷଡ଼ଯନ୍ତ୍ର ରଚିଥିଲା। ପୁଲିସର କହିବା ମୁତାବକ ଏହସାନ ସ୍ଥାନୀୟ ଅପରାଧୀଙ୍କୁ ଘର ଏବଂ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଆପରାଧିକ କାର୍ଯ୍ୟରେ ଲଗାଇଥିଲା। ସେହି ଅପରାଧୀଙ୍କ ମଧ୍ୟରୁ ଜବାର ଅନ୍ୟତମ। ଶାହନୱାଜ ନାମରେ ଦୁଇଟି ହତ୍ୟାକାଣ୍ଡ, ତି‌ନିଟି ହତ୍ୟା ଉଦ୍ୟମ ସମେତ ମୋଟ ୨୧ଟି ମାମଲା ରହିଛି। ସେହିଭଳି ଜବାର ନାମରେ ୯ଟି ମାମଲା ରହିଛି।

ସମ୍ବନ୍ଧିତ ଖବର