ହରିୟାଣାରେ ଭୁଶୁଡିଲା ସ୍କୁଲ ଛାତ, ୨୫ ଛାତ୍ରଛାତ୍ରୀ ଆହତ

ସୋନିପତ: ହରିୟାଣାରେ ଭୁଶୁଡିଲା ସ୍କୁଲ ଛାତ। ପରୀକ୍ଷା ଚାଲୁଥିବା ବେଳେ ହଠାତ୍ ସ୍କୁଲର ଛାତ ଭୁଶୁଡ଼ିବାରୁ ୨୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ହରିୟାଣାର ସୋନିପତରେ ଘଟିଥିବା ବେଳେ ଆହତ ଛାତ୍ରଙ୍କୁ ଡାକ୍ତରଖାନା ପଠାଯାଇଛି।

www.indiatoday.in

ମିଳିଥିବା ସୂଚନା ମୁତାବକ, ଜିଭାନନ୍ଦ ମଡେଲ୍ ପବ୍ଲିକ୍ ସ୍କୁଲର ଛାତ ମରାମତି କାମ ଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ସୋନିପତର ଗନ୍ନୌରରେ ଘଟିଛି। ଏହି ଦୁର୍ଘଟଣାରେ ତିନି ଜଣ ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀମାନଙ୍କୁ ଗନ୍ନୌର କମ୍ୟୁନିଟି ହସ୍ପିଟାଲକୁ ପଠାଯାଇଥିବା ବେଳେ ୫ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଖାନପୁରର ପିଜିଆକୁ ପଠାଯାଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ୨୫ଜଣ ଛାତ୍ରଛାତ୍ରୀ ଆହତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

www.bhaskar.com

କୁହାଯାଉଛି ଯେ, ୨ଦିନ ପୂର୍ବରୁ ପ୍ରବଳ ବର୍ଷା ହେତୁ ଛାତ ବହୁତ ଖରାପ ହୋଇଯାଇଥିଲା। ଏହି କାରଣରୁ, ଛାତ ମରାମତି ପାଇଁ ବିଦ୍ୟାଳୟ ପ୍ରଶାସନ ଶ୍ରମିକଙ୍କୁ ଡ଼ାକି କାମ କରାଉଥିଲେ। ସକାଳ ୧୧ଟା ସମୟରେ ଶ୍ରମିକମାନେ ସ୍କୁଲ ହଲ ଛାତରେ କାମ କରୁଥିଲେ। ଏହି ସମୟରେ ସେହି ହଲରେ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀର ପିଲାମାନେ ପରୀକ୍ଷା ଦେଉଥିଲେ। ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ନିଜର ବ୍ୟାଗ ନେବାକୁ ଯିବା ବେଳେ ହଠାତ୍ ଛାତ ଭୁଶୁଡ଼ି ପଡ଼ିଥିଲା। ଏହା ଫଳରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶ୍ରମିକମାନେ ଆହତ ହୋଇଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର