ଜୈସର ୨୫ ଜଣ ବରିଷ୍ଠ କମାଣ୍ଡର ନିହତ, ମୁଖ୍ୟ ଆତଙ୍କବାଦୀ ମାସୁଦ ଆଜାର ଏବେ ବି ଲୁଚିଛି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ଥିବା କେତେକ ଆତଙ୍କବାଦୀ କ୍ୟାମ୍ପ ଉପରେ ବିମାନ ଆକ୍ରମଣ କରାଯିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପ୍ରଥମେ ପାକିସ୍ତାନର ସେନା ଏହି ଆକ୍ରମଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା କହିଥିବାବେଳେ ଧୀରେ ଧୀରେ ତାହାର ପ୍ରକୃତ ଚିତ୍ର ସାମନାକୁ ଆସୁଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୁରକ୍ଷା ସଂପର୍କୀତ କ୍ୟାବିନେଟ କମିଟିକୁ ଦେଇଥିବା ତଥ୍ୟ ଅନୁସାରେ ଏହି ଆକ୍ରମଣରେ ଜୈସ-ଇ-ମୋହମ୍ମଦର ପ୍ରାୟ ୨୫ ଜଣ ବରିଷ୍ଠ କମାଣ୍ଡର ନିହତ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ପ୍ରାୟ ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଶ୍ରୀ ଡୋଭାଲ କହିଛନ୍ତି ଯେ ଗୁଇନ୍ଦା ବିଭାଗ ତରଫରୁ  ନିର୍ଦ୍ଦିଷ୍ଟଭାବେ ସୂଚନା ମିଳିବା ପରେ ବିଭିନ୍ନ ଟାର୍ଗେଟ ବଛା ଯାଇଥିଲା । ବାଲାକୋଟକୁ ବାଛିବାର କେତେକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା । କାରଣ ଏହା ଥିଲା ଜୈସ-ଇ-ମୋହମ୍ମଦର ଏକ ମୁଖ୍ୟ କଣ୍ଟ୍ରୋଲ ରୁମ ଓ ବୃହତ୍ତମ ଟ୍ରେନିଂ କ୍ୟାମ୍ପ । ଏହାକୁ ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ର ନ କହି ଏକ ସେନା ଛାଉଣୀ କହିଲେ ଠିକ ହେବ । ଏଠାରେ ଅନେକ ସଶସ୍ତ୍ର ଆତଙ୍କବାଦୀ ଥିଲେ, ଅନେକ ଗୋଳାବାରୁଦ ଥିଲା, ଏସି କଣ୍ଟ୍ରୋଲ ରୁମ ଏପରିକି  ବଙ୍କର ମଧ୍ୟ ଥିଲା । ଫେବ୍ରୁଆରୀ ୧୪ ପରେ ବିଶ୍ୱ ଜନମତ ଚାପରେ ନଇଁ ଆଇଏସଆଇ ଏସବୁ ଆତଙ୍କି କମାଣ୍ଡର ମାନଙ୍କୁ  ପାକ ଅଧିକୃତ କାଶ୍ମୀରରୁ ନେଇ ପାକିସ୍ତାନ ଭିତରେ ଥିବା ବାଲାକୋଟ କ୍ୟାମ୍ପରେ ରଖିଥିଲା । ଏହି କ୍ୟାମ୍ପ ଧ୍ୱଂସ ହେବା ପରେ ଜୈସର ଅଣ୍ଟା ଭାଙ୍ଗି ଯାଇଛି ।

ସମ୍ବନ୍ଧିତ ଖବର