ଆମେରିକା ବ୍ୟାଙ୍କ୍‌ ଗୁଳିକାଣ୍ଡ: ଜଣେ ଭାରତୀୟଙ୍କ ସମେତ ୩ ମୃତ

ନ୍ୟୁୟର୍କ: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସିନ୍‌ସିନ୍ନାଟି ସହରର ଏକ ବ୍ୟାଙ୍କ୍‌ ଅଟ୍ଟାଳିକାରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ଜଣେ ୨୫ ବର୍ଷିୟ ଭାରତୀୟଙ୍କ ସମେତ ତିନି ଜଣ ନିହତ ହୋଇଛନ୍ତି। ଆକ୍ରମଣକାରୀକୁ ପୁଲିସ ଗୁଳି କରି ମାରିଦେଇଛି।

ମୃତ ଭାରତୀୟଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଗୁଣ୍ଟୁର୍‌ ଜିଲ୍ଲାବାସୀ ପୃଥ୍ଵୀରାଜ କାନ୍ଦେପି। ଓହିଓ ଅନ୍ତର୍ଗତ ନର୍ଥ ବେଣ୍ଡ୍‌ ସହରର ୨୯ ବର୍ଷିୟ ଓମାର୍‌ ଏନ୍‌ରିକ୍‌ ସାନ୍ତା ପେରେଜ୍‌ ସିନ୍‌ସିନ୍ନାଟି ଡାଉନ୍‌ଟାଉନ୍‌ର ଫାଉଣ୍ଟେନ୍‌ ସ୍କ୍ଵାୟାର୍‌ ନିକଟରେ ଥିବା ଫିଫ୍‌ଥ୍‌ ଥାର୍ଡ ବ୍ୟାଙ୍କ୍‌ ମୁଖ୍ୟାଳୟରେ ଗୁଳି ଚଳାଇଥିବା କଥା ପୁଲିସ କହିଛି।

ପୁଲିସ, କାନ୍ଦେପିଙ୍କ ପରିବାର ଏବଂ ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କ ସହ କନ୍‌ସୁଲେଟ୍‌ ଯୋଗାଯୋଗ ରଖିଛି ବୋଲି ନ୍ୟୁୟର୍କସ୍ଥିତ ଭାରତର କନ୍‌ସୁଲ୍‌ ଜେନେରାଲ୍‌ ରାଷ୍ଟ୍ରଦୂତ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି।

ଉତ୍ତର ଆମେରିକାସ୍ଥିତ ତେଲୁଗୁ ଆସୋସିଏସନ୍‌ର ଜଣେ ଅଧିକାରୀ କହନ୍ତି ଯେ କାନ୍ଦେପି ଜଣେ କନ୍‌ସଲ୍‌ଟାଣ୍ଟ୍‌ ଭାବେ ବ୍ୟାଙ୍କ୍‌ରେ କାର୍ଯ୍ୟ କରୁଥିଲେ।

ତାଙ୍କ ଶବ ଭାରତ ପଠାଯିବାର ବ୍ୟବସ୍ଥା କରାଯାଉଛି।

ଅନ୍ୟ ଦୁଇ ପୀଡ଼ିତ ହେଲେ ୪୮ ବର୍ଷିୟ ଲୁଇ ଫେଲିପ୍‌ କାଲ୍‌ଡେରୋନ୍‌ ଏବଂ ୬୪ ବର୍ଷିୟ ରାଚାର୍ଡ ନିଉକମର୍‌।

ଘଟଣାରେ ୫ ଜଣଙ୍କ ଉପରେ ଗୁଳିମାଡ଼ ହୋଇଛି। କେତେକଙ୍କ ଉପରେ ଏକାଧିକ ବାର ଗୁଳି ମଧ୍ୟ ବାଜିଛି। ପୁଲିସ ଗୁଳି ଚୋଟରେ ବନ୍ଧୁକଧାରୀଜଣକ ଟଳି ପଡ଼ିଥିଲେ।

ସ୍ଥାନୀୟ ସମୟ ସକାଳ ୯ଟା ୧୦ ମିନିଟ୍‌ ଗୁଳିକାଣ୍ଡ ଚାଲିଥିବା କଥା ଖବର ପାଇ ୪ ଜଣ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ତା’ ଉପରକୁ ଏକାଧିକ ଥର ଗୁଳି ଚଳାଇବାରୁ ସେ ଟଳି ପଡ଼ିଥିଲା। ନିହତ ବନ୍ଧୁକଧାରୀଙ୍କ ପାଖରେ ଥିଲା ଗୋଟାଏ ପିସ୍ତଲ ଏବଂ ୨୦୦ ରାଉଣ୍ଡ୍‌ ଗୁଳି।

ସମ୍ବନ୍ଧିତ ଖବର