କୋଭିଡ୍‌-୧୯ ଲକ୍‌ଡାଉନ୍‌: ପାକିସ୍ତାନରେ ଫସି ଯାଇଛନ୍ତି ୨୫୦ ଭାରତୀୟ

ଲାହୋର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ପାକିସ୍ତାନରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ପ୍ରାୟ ୨୫୦ରୁ ଅଧିକ ଭାରତୀୟ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପାକିସ୍ତାନରେ ଫସି ରହି ଯାଇଥିବା ଜାଣିବାକୁ ମିଳିଛି। ତେବେ, ଲକ୍‌ଡାଉନ୍‌ କାରଣରୁ ଫସି ରହି ଯାଇଥିବା ଭାରତୀୟମାନଙ୍କୁ ଭାରତ ପଠାଇ ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ।

ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ପୂର୍ବରୁ ଲକ୍‌ଡାଉନ କାରଣରୁ ପାକିସ୍ତାନରେ ଫସି ରହିଥିବା ୨୫୦ ଜଣ ଭାରତୀୟ ନାଗରିକ ଶୁକ୍ରବାର ଦିନ ଓ୍ଵାଘା ସୀମା ଦେଇ ଭାରତକୁ ଫେରି ଯାଇଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ୨୪୮ ଭାରତୀୟ ଘରକୁ ଫେରିବା ପରେ ଏହା ଥିଲା ଦ୍ୱିତୀୟ ବ୍ୟାଚ୍‌ ଭାରତୀୟଙ୍କ ପାକିସ୍ତାନରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ।

News Nation

ଏହାପରେ, ବର୍ତ୍ତମାନ ଯେଉଁ ୨୫୦ ଭାରତୀୟ ପାକିସ୍ତାନରେ ଫସି ରହିଛନ୍ତି ସେମାନଙ୍କୁ ଆସନ୍ତା ଶନିବାର ଦିନ ଭାରତକୁ ଫେରିବେ ବୋଲି ପାକିସ୍ତାନୀ ଅଧିକାରୀ କହିଛନ୍ତି। ଲାହୋରର ଓ୍ଵାଘା ସୀମା ଜୁନ୍‌ ୨୫ ରୁ ଜୁନ୍‌ ୨୭ ପର୍ଯ୍ୟନ୍ତ ତିନି ଦିନ ପାଇଁ ଖୋଲା ଯାଇଥିଲା। ଯାହା ଫଳରେ ପାକିସ୍ତାନରେ ଫସିଥିବା ଭାରତୀୟଙ୍କ ସ୍ୱଦେଶକୁ ଫେରିବାରେ ସୁବିଧା ହୋଇଥିଲା। ତେବେ, ଦ୍ୱିତୀୟ ବ୍ୟାଚ୍‌ରେ ୨୫୦ ଭାରତୀୟ ଶୁକ୍ରବାର ଦିନ ପାକିସ୍ତାନରୁ ଫେରିଯିବା ପରେ ପୁନର୍ବାର କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ଓ୍ଵାଘା ସୀମାନ୍ତ ଗେଟ୍‌କୁ ବନ୍ଦ କରି ଦିଆ ଯାଇଥିବାରୁ ଏମାନେ ପାକିସ୍ତାନରେ ଅଟକି ରହି ଯାଇଥିବା କହିଛନ୍ତି ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ଅଧିକାରୀ।

ସେ କହିଛନ୍ତି ଯେ ଅଧିକାଂଶ ଭାରତୀୟ ନାଗରିକ ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବା ଏବଂ ଧାର୍ମିକ ରୀତିନୀତି କରିବା ଉଦ୍ଦେଶ୍ୟରେ ପାକିସ୍ତାନକୁ ଆସିଥିଲେ। ତେବେ, ଏହି ସମୟରେ ଦେଶରେ ଲକଡାଉନ୍‌ ଲାଗୁ କରାଯାଇ ଥିବାରେ ସେମାନେ ଏଠାରେ ଫସି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନର ସିନ୍ଧ ଏବଂ ପଞ୍ଜାବ ପ୍ରଦେଶରେ ଅଟକି ରହିଥିଲେ। ତେବେ, ଆଗାମୀ ଶନିବାର ଦିନ ତୃତୀୟ ତଥା ଶେଷ ବ୍ୟାଚରେ ଏମାନଙ୍କୁ ଭାରତ ପଠାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର