ଅନୁପ୍ରବେଶ ଅପେକ୍ଷାରେ ୨୫୦ ଆତଙ୍କବାଦୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶାନ୍ତିର କଥା କହୁଥିବା ବେଳେ ବାସ୍ତବରେ ପାକ୍‌ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌୍‌ଆଇ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସବୁ ସହାୟତା ଯୋଗାଉଥିବା ଦେଖିବାକୁ ମିଳିଛି। ନିୟନ୍ତ୍ରଣ ରେଖା ଅଂଚଳରେ ଏବେ ପ୍ରାୟ ୨୫୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ତୟାର ରହିଛନ୍ତି। ସେମାନେ ପାକ୍‌ ସେନା ସହାୟତାରେ ପ୍ରାୟ ୧୦ଟି ଲଞ୍ଚ ପ୍ୟାଡ୍‌ରେ ମହଜୁଦ ଅଛନ୍ତି। ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଭାରତୀୟ ସେନାବାହିନୀ ଦ୍ବାରା‌ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ପାକିସ୍ତାନର ଯେଉଁ ଆତଙ୍କବାଦୀ ଶିବିର ଧ୍ବଂସ ହୋଇ ଯାଇଥିଲା ଏବେ ସେହି ଶିବିର ପୁଣିଥରେ ସକ୍ରିୟ ହୋଇ ଉଠିଛି। ଲିପା ଭ୍ୟାଲିରେ ପ୍ରତିଷ୍ଠା ହୋଇଛି ୮ଟି ନୂଆ ଲଞ୍ଚ୍‌ପ୍ୟାଡ୍‌। ଏବେ ୨୭ଟି ଲଞ୍ଚ୍‌ପ୍ୟାଡ୍‌ରୁ ପାଖାପାଖି ୨୫୦ ଆତଙ୍କବାଦୀ ଜମ୍ମୁ କଶ୍ମୀରକୁ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି। ଗତ ‌େଗାଟିଏ ବର୍ଷ ମଧ୍ୟ‌ରେ କଶ୍ମୀରରେ ପଥର ଫିଙ୍ଗା ଏବଂ ବିଶୃଙ୍ଖଳା କମିଥିଲେ ମଧ୍ୟ ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ବିପଦ ବଢ଼ୁଛି। ଅନୁପ୍ରବେଶ ବୃଦ୍ଧି ପ‌‌ାଇଛି। ଲିପା, ଚା‌େକାଟି, ବାରାକୋଟ୍‌, ସାରଦି, ଜୁରା ଏବଂ ବାରାକୋଟ୍‌ ଅଞ୍ଚଳରେ ଏଲଇଟି ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଥିବାବେଳେ ପିଓକେର ଆଗୁଆ କହୁଟା ଅଞ୍ଚଳରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଶିବିର ରହିଛି।

ସମ୍ବନ୍ଧିତ ଖବର