ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଥିବା ୨୫୦ ଜଣ ମହିଳା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ୨୫୦ ମହିଳା ସ୍ବାକ୍ଷର କରି ସୁପ୍ରିମ କୋର୍ଟରେ ଦାଖଲ କରିଥିବା ପତ୍ରରେ ଦାବି କରିଛନ୍ତି, ଯୌନ ନିର୍ଯାତନାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଉ ଏବଂ ତଦନ୍ତ ନସରିବା ଯାଏଁ ରଞ୍ଜନ ଗୋଗୋଇଙ୍କୁ ନ୍ୟାୟାଳୟରେ ଦାୟିତ୍ବ ତୁଲାଇବାରୁ ଦୂରେଇ ରଖାଯାଉ। ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳାଙ୍କୁ ତାଙ୍କର ଇଛା ଅନୁଯାୟୀ ନ୍ୟାୟିକ ସହାୟତା ଯୋଗାଇଦିଆଯାଉ। ସ୍ୱତନ୍ତ୍ର ତଦନ୍ତ ୯୦ ଦିନ ମଧ୍ୟରେ ସମାପ୍ତ କରିବାକୁ ମଧ୍ୟ ଦାବି ହୋଇଛି। ଉକ୍ତ ମହିଳା ଦଳ କହିଛନ୍ତି, ଗୋଗୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯେତେ ସାଙ୍ଘାତିକ ତାହାଠୁ ଅଧିକ ଆଶ୍ଚର୍ଯ୍ୟର କଥା ସେ ନିଜେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଶୁଣାଣି କରିଛନ୍ତି। ଏତଦ ବ୍ୟତୀତ, ସୁପ୍ରିମ କୋର୍ଟ ଏବଂ ପ୍ରଧାନ ବିଚାରପତି ଯେଭଳି ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକୁ ନ୍ୟାୟପାଳିକାର ସ୍ୱାଧୀନତା ସହ ଯୋଡୁଛନ୍ତି ତାହା ମଧ୍ୟ ମହିଳାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ କରୁଛି।
ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ପାଇଁ ବିଚାରପତି ଏସ୍ଏ ବବ୍ଡେଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ତେବେ ତଦନ୍ତ ଶେଷ ନହେବା ଯାଏଁ, ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦରେ ରହିବାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି ନିୟମ ଅନୁଯାୟୀ, ତଦନ୍ତ ସମାପ୍ତ ନହେବା ପର୍ଯନ୍ତ ଯେଉଁ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆସିଛି ସେ ନ୍ୟାୟିକ ପ୍ରକ୍ରିୟାରୁ ଦୂରେଇଯିବାର ଆବଶ୍ୟକ ବୋଲି ସେମାନେ କହିଛନ୍ତି।
ଆଇନ ବିଶେଷଜ୍ଞଙ୍କ ମତରେ, ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ ଯେଉଁ ଆଭ୍ୟନ୍ତରୀଣ କମିଟି ଗଠନ ହୋଇଛି ତାହାର ସେଭଳି କ୍ଷମତା ନାହିଁ। ଲୋକସଭା ଏବଂ ରାଜ୍ୟସଭା ଦ୍ୱାରା ଗଠିତ ତଦନ୍ତ କମିଟିର ଯେଭଳି କ୍ଷମତା ଥାଏ ଉକ୍ତ ଗୃହ କମଟିର ନାହିଁ। ତେବେ ଯେଉଁ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆସିଛି ନୈତିକତା ଦୃଷ୍ଟିରୁ ସେ ନ୍ୟାୟିକ ପ୍ରକ୍ରିୟାରୁ ଦୂରେଇଯିବାରେ କୌଣସି ବାଧା ନଥିବା କୁହାଯାଇଛି।
ନିରପେକ୍ଷ ତଦନ୍ତ ଦାବି କଲେ ୨୫୦ ମହିଳା
/sambad/media/post_attachments/wp-content/uploads/2019/04/supremeC-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)