ନିଜ ଫାର୍ମରେ କଡକନାଥ କୁକୁଡ଼ା ଚାଷ କରିଥାନ୍ତେ ଧୋନୀ, ମରାଗଲା ୨୫୦୦ କୁକୁଡା

ଇନ୍ଦୋର: ନିଜ ଫାର୍ମରେ କଡକନାଥ କୁକୁଡ଼ା ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ | ଆଉ ଧୋନୀଙ୍କ ଫାର୍ମ ପାଇଁ ବରାଦ ଦିଆଯାଇଥିବା ପାଖାପାଖି ୨୫୦୦ କଡକନାଥ କୁକୁଡ଼ାକୁ ବାର୍ଡ଼ ଫ୍ଲୁ କାରଣରୁ ମଧ୍ୟପ୍ରଦେଶ ସରକାର ମାରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ରାଞ୍ଚିରେ ଫାର୍ମ ହାଉସ କରିଥିବା ଧୋନୀ ନଭେମ୍ବର ମାସରେ ମଧ୍ୟପ୍ରଦେଶର ରୁଣ୍ଡିପଡ଼ାରେ ଥିବା ଏକ କୁକୁଡ଼ା ଫାର୍ମକୁ କଡ଼କନାଥ କୁକୁଡ଼ା ପାଇଁ ଅର୍ଡର ଦେଇଥିଲେ | ଆଉ ଖୁବ ଶୀଘ୍ର ଧୋନୀଙ୍କ ଫାର୍ମକୁ ଏହି କୁକୁଡ଼ା ପଠାଯାଇଥାନ୍ତା |

ଫାର୍ମ ପରିଚାଳକଙ୍କ କହିବା ମୁତାବକ ଧୋନୀ ପ୍ରାୟ ୨୫୦୦ଟି କଡକନାଥ କୁକୁଡ଼ା ପାଇଁ ଅର୍ଡର ଦେଇଥିଲେ | ଆଉ ସୁବିଧା ଦେଖି ଏହି କୁକୁଡ଼ା ପଠାଯାଇଥାନ୍ତା | ତେବେ ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ଦେଢ଼ ହଜାରରୁ ଅଧିକ କୁକୁଡ଼ାଙ୍କର ମୃତ୍ୟୁ ହୋଇଯାଇଥିଲା | ଆଉ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଫାର୍ମରେ ପହଂଚି ସମସ୍ତ କୁକୁଡ଼ାଙ୍କୁ ମାରିଦେବାକୁ ନିର୍ଦ୍ଦେଶ ଦେଇଥିଲେ |

ଯେଉଁଥିପାଇଁ ଏହି ଫାର୍ମରେ ଥିବା କୁକୁଡ଼ାମାନଙ୍କୁ ଫାର୍ମ କର୍ମଚାରୀ ମାରି ପୋତିଦେଇଛନ୍ତି | ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ୧୯ ଟି ଜିଲ୍ଲାରେ ବାର୍ଡ଼ ଫ୍ଲୁ ଦେଖିବାକୁ ମିଳିଥିବାବେଳେ ରାଜ୍ୟର ୪୨ ଟି ଜିଲ୍ଲାରୁ ପ୍ରାୟ ୨୧୦୦ କାଉ ଏବଂ ବଣୁଆ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର