ବର୍ଷକରେ ୨୫,୦୦୦ ଟନ୍ କୋଭିଡ୍‌-୧୯ ପ୍ଲାଷ୍ଟିକ୍ ବର୍ଜ୍ୟ ସମୁଦ୍ରରେ ପଡ଼ିଛି

ୱାସିଂଟନ: ଆମେରିକାର ନ୍ୟାସନାଲ ଏକାଡେମି ଅଫ୍ ସାଇନ୍ସେସ୍ (ପିଏମ୍‌ଏଏସ୍) ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ୨୦୨୧ ଅଗଷ୍ଟ ସୁଦ୍ଧା କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବାର ବର୍ଷକ ଭିତରେ ଏହି ମହାାରୀ ସହ ସମ୍ପୃକ୍ତ ୨୫,୦୦୦ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ସମୁଦ୍ରକୁ ଯାଇଛି। ଅଧ୍ୟୟନ ଅନୁସାରେ ୧୯୩ଟି ଦେଶରେ ୮.୪ ନିୟୁତ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ଉତ୍ପନ୍ନ ହୋଇଛି ଏବଂ ସେଥି ମଧ୍ୟରୁ ୨୫,୦୦୦ ଟନ୍‌ରୁ ଅଧିକ ବର୍ଜ୍ୟ ସମୁଦ୍ର ଭିତରକୁ ଛାଡ଼ି ଦିଆଯାଇଛି। ନାନ୍‌ଜିଙ୍ଗ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଆଟମସ୍‌ଫିୟରିକ୍ ସାଇନ୍ସେସ୍ ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ସାନ୍‌ ଡିଏଗୋର ସ୍କ୍ରିପ୍ସ ଇନ୍‌ଷ୍ଟିଚ୍ୟୁସନ ଅଫ୍ ଓସେନୋଗ୍ରାଫି ଆନୁକୂଲ୍ୟରେ ଏହି ଗବେଷଣା କରାଯାଇଥିଲା।

ଏଥିରୁ ଜଣାପଡ଼ିଛି ଯେ, ସାରା ବିଶ୍ବରୁ ଯେତେ ହସ୍ପିଟାଲ ବର୍ଜ୍ୟ ବାହାରୁଛି, ସେଥି ମଧ୍ୟରେ ଏସିଆର ବର୍ଜ୍ୟ ପରିମାଣ ସର୍ବାଧିକ। କୋଭିଡ୍‌-୧୯ ମାମଲାର ୯୫ରୁ ଅଧିକ ପ୍ରତିଶତ ହେଉଛି ଉତ୍ତର ଓ ଦକ୍ଷିଣ ଆମେରିକା (୩୯.୨%), ଏସିଆ (୩୧.୨%) ଓ ୟୁରୋପ (୨୫.୭%)ର। କିନ୍ତୁ ପ୍ଲାଷ୍ଟିକ୍ ବର୍ଜ୍ୟର କୁପରିଚାଳନା ଯୋଗୁ ଏସିଆ ମହାଦେଶରୁ ସବୁଠାରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ (୪୬%) ବାହାରିଛି। ତା’ଛଡ଼ା ୟୁରୋପରୁ ୨୪% ଏବଂ ଉତ୍ତର ଓ ଦକ୍ଷିଣ ଆମେରିକାରୁ ୨୨% ବର୍ଜ୍ୟ ବାହାରିଛି। ଏମିତି କରି ମୋଟ ୯୨ ପ୍ରତିଶତ କୁପରିଚାଳନାଜନିତ ପ୍ଲାଷ୍ଟିକ୍ ବର୍ଜ୍ୟ ନିର୍ଗତ ହେଉଛି। ଏହିସବୁ ପ୍ଲାଷ୍ଟିକ୍ ବର୍ଜ୍ୟ ସମୁଦ୍ରକୁ ଯାଇ ସମୁଦ୍ରର ପରିବେଶକୁ ନଷ୍ଟ କରୁଛି। ଏହି ବର୍ଜ୍ୟ ବିଘଟନଶୀଳ ହୋଇ ନ ଥିବାରୁ ଏଗୁଡ଼ିକ ସମୁଦ୍ର ଭିତରେ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଘୂରିବୁଲିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି। ୨୦୨୧ ଶେଷ ସୁଦ୍ଧା ମୋଟ କୋଭିଡ୍‌ ମାମଲା ୨୮୦ ନିୟୁତରେ ପହଞ୍ଚିବ ଏବଂ ଏଥିରୁ ପ୍ରାୟ ୧୧ ନିୟୁତ ଟନ୍ ମହାମାରୀ-ସମ୍ପୃକ୍ତ ପ୍ଲାଷ୍ଟିକ୍ ବର୍ଜ୍ୟ ଉତ୍ପନ୍ନ ହେବ।

ସମ୍ବନ୍ଧିତ ଖବର