ନୂଆଦିଲ୍ଲୀ: ଭାରତୀୟମାନେ ସୁନା ପ୍ରିୟ। ଦେଶର ମନ୍ଦିର ସମେତ ପରିବାରଗୁଡ଼ିକରେ ପ୍ରାୟ ୨୫ ହଜାର ଟନ୍ ସୁନା ଗଚ୍ଛିତ ରହିଛି। ଏହି ସୁନାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨.୪ ଲକ୍ଷ କୋଟି ଡଲାର ବୋଲି ୱାର୍ଲଡ ଗୋଲଡ୍ କାଉନସିଲ୍ ପକ୍ଷରୁ କୁହାଯାଇଛି। ୨୦୨୫-୨୬ରେ ଭାରତର ନାମମାତ୍ର ଜିଡିପିର ଏହା ପ୍ରାୟ ୫୬ ପ୍ରତିଶତ। ତେବେ ଭାରତର ମନ୍ଦିର ଓ ପରିବାରଗୁଡ଼ିକରେ ଗଚ୍ଛିତ ଥିବା ସୁନାର ମୂଲ୍ୟ ପଡ଼ୋଶୀ ପାକିସ୍ତାନ ଅର୍ଥନୀତିର ଆକାରଠାରୁ ୬ ଗୁଣା ଅଧିକ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଅନୁଯାୟୀ ପାକିସ୍ତାନର ଜିଡିପି ୨୦୨୪-୨୫ ଆର୍ଥିକବର୍ଷରେ ପ୍ରାୟ ୪୧୧ ବିଲିଅନ୍ ଡଲାର ରହିଛି। କେବଳ ସେତିକି ନୁହେଁ, ଭାରତୀୟ ପରିବାରଗୁଡ଼ିକରେ ମହଜୁଦ ଥିବା ସୁନାର ମୂଲ୍ୟ ଇଟାଲୀ ଏବଂ କାନାଡ଼ା ଭଳି ବିକଶିତ ଦେଶର ଜିଡିପି ତୁଳନାରେ ବି ଅଧିକ। ଇଟାଲୀର ଜିଡିପି ୨.୪ ଟ୍ରିଲିଅନ୍ ଡଲାର ଥିବାବେଳେ କାନାଡ଼ାର ଜିଡିପି ୨.୩୩ ଟ୍ରିଲିଅନ୍ ଡଲାର ରହିଛି।
ୟୁନିୟନ ବ୍ୟାଙ୍କ ଅଫ୍ ସ୍ବିଜରଲାଣ୍ଡ୍ର ହିସାବ ଅନୁଯାୟୀ, ବଜାରରେ ସୁନା ମୂଲ୍ୟ ୨୦୧୯-୨୦ରୁ ଇତିମଧ୍ୟରେ ଦୁଇଗୁଣା ବଢ଼ିଛି। ଏଥିଯୋଗୁ ଭାରତୀୟ ପରିବାରଗୁଡ଼ିକର ସଂପତ୍ତି ବି ବଢ଼ିଯାଇଛି। ୨୦୨୬ ସୁଦ୍ଧା ସୁନା ମୂଲ୍ୟ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବିଶ୍ବରେ ଉତ୍ତେଜନାମୂଳକ ଭୌଗୋଳିକ ରାଜନୈତିକ ପରିସ୍ଥିତି ସହିତ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବାଣିଜ୍ୟ ଅସ୍ଥିରତା ପାଇଁ ସୁନା ଦର ବଢ଼ିବ ବୋଲି ଆକଳନ କରାଯାଇଛି। ଉଚ୍ଚମୂଲ୍ୟ ଯୋଗୁ ଭାରତର ସୁନା ଚାହିଦା ୨୦୨୫-୨୬ରେ କିଛିମାତ୍ରାରେ କମିବ। ନିଟ୍ ଆମଦାନୀ ୫୫ରୁ ୬୦ ବିଲିଅନ୍ ଡଲାର ବା ଜିଡିପିର ୧.୨ ପ୍ରତିଶତରେ ରହିବ ବୋଲି ଆକଳନ କରାଯାଇଛି। ୨୦୨୫-୨୬ରେ ଭାରତର ସୁନା ଚାହିଦା ୭୨୫ ଟନ୍ ରହିବ। କିନ୍ତୁ ୨୦୨୬-୨୭ରେ ଏଥିରେ ଉନ୍ନତି ଘଟି ୮୦୦ ଟନ୍ରେ ପହଞ୍ଚିବ। ଅଷ୍ଟମ ବେତନ କମିସନ ସୁପାରିସ ଫଳରେ କର୍ମଚାରୀମାନଙ୍କୁ ଅଧିକ ୫୫ ବିଲିଅନ୍ ଡଲାର ଦରମା ମିଳିବ। ଏହାର ପ୍ରଭାବରେ ସୁନା ଚାହିଦା ବଢ଼ିବ ବୋଲି କୁହାଯାଇଛି।
ଉଚ୍ଚମୂଲ୍ୟ ସତ୍ତ୍ବେ ଭାରତର ସୁନା ଚାହିଦା ୨୦୨୪-୨୫ରେ ଉଚ୍ଚସ୍ତରରେ ରହିଥିଲା। ଭାରତରେ ଗ୍ରାହକଙ୍କ ଚାହିଦା ୭୮୨ ଟନ୍ ଥିଲା, ଯାହାକି କରୋନା ମହାମାରୀର ପୂର୍ବସ୍ଥିତିରେ ଥିବା ଚାହିଦା ତୁଳନାରେ ୧୫ ପ୍ରତିଶତ ଅଧିକ। ୨୦୨୪ରେ ଆମଦାନୀ ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରାଯିବା ଫଳରେ ସ୍ବର୍ଣ୍ଣ ଦଣ୍ଡ ଏବଂ ମୁଦ୍ରାରେ ନିବେଶ ବାର୍ଷିକ ଭିତ୍ତିରେ ୨୫ ପ୍ରତିଶତ ବୃଦ୍ଧି ପାଇଛି। ଭାରତର ପରିବାରଗୁଡ଼ିକରେ ଏତେ ମାତ୍ରାରେ ସୁନା ଗଚ୍ଛିତ ଥିଲେ ମଧ୍ୟ ତାହାକୁ ମନିଟାଇଜେସନ୍ (ଅର୍ଥରେ ରୂପାନ୍ତର) ପାଇଁ ବ୍ୟବହାର କରିବାରେ କମ୍ ଉପଯୋଗ କରାଯାଉଛି। ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକର ଉଦ୍ୟମ ସତ୍ତ୍ବେ ପରିବାରଗୁଡ଼ିକରେ ଗଚ୍ଛିତ ଥିବା ସୁନାର ୨ ପ୍ରତିଶତରୁ କମ୍ ଋଣ ପାଇଁ ବନ୍ଧକ ରଖାଯାଉଛି। ସୁନା ପ୍ରତି ଲୋକଙ୍କର ରହିଥିବା ଆବେଗିକ ବନ୍ଧନ କାରଣରୁ ଗୋଲ୍ଡ ମନିଟାଇଜେସନ୍ ସ୍କିମ୍ ଏବଂ ସଭରେନ୍ ଗୋଲ୍ଡ ବଣ୍ଡ୍ ସେତେଟା ସଫଳ ହେଉନାହିଁ। ଘରୋଇ ଭାବେ ବିଶ୍ବରେ ଗଚ୍ଛିତ ରଖାଯାଇଥିବା ମୋଟ ସୁନା ମଧ୍ୟରୁ ୧୪ ପ୍ରତିଶତ ଭାରତୀୟ ପରିବାରଗୁଡ଼ିକରେ ରହିଛି। ଭାରତ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ସୁନା ସହିତ ଭାରତୀୟ ପରିବାରଗୁଡ଼ିକର କେବଳ ଆବେଗିକ ସଂପର୍କ ନାହିଁ, ବରଂ ଏଥିପାଇଁ ସେମାନେ ଧନୀ ମଧ୍ୟ ହେଉଛନ୍ତି। ବିଶ୍ବରେ ଅସ୍ଥିରତା ଲାଗି ରହିଥିବାବେଳେ ଭାରତୀୟମାନଙ୍କର ପୁରୁଣା ବିଶ୍ବାସ ସେମାନଙ୍କୁ ଲାଭ ଦେଉଛି ବୋଲି ୟୁବିଏସ୍ ପକ୍ଷରୁ କୁହାଯାଇଛି।