ନୂଆଦିଲ୍ଲୀ: କରୋନା ମହାମାରୀ ସମ୍ପର୍କିତ ଏକ ଭଲ ଖବର ଆଜି କେନ୍ଦ୍ର ସରକାର ଦେଇଛନ୍ତି। ଭାରତରେ ଲୋକମାନେ କରୋନା ଦ୍ବାରା ଆକ୍ରାନ୍ତ ହେବାଦିନଠାରୁ ଇତିମଧ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ୨୪ ଘଣ୍ଟାରେ ୧୦୭୪ ଜଣ ଆରୋଗ୍ୟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୧,୭୦୬ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଥିବାରୁ ଆରୋଗ୍ୟ ହାର ୨୭.୫୨ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୫୩ ଜଣ ନୂଆ ‌କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନାଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୫୩୩ରେ ପହଞ୍ଚିଛି। କରୋନାଭୂତାଣୁ ସକ୍ରିୟ ଥିବା ରୋଗୀଙ୍କ ସଂଖ୍ୟା ଦେଶରେ ଏବେ ୨୯,୪୫୩ ରହିଛି।

Advertisment

ଦେଶରେ କରୋନା ରୋଗୀଙ୍କ ରେଖା ଏବେ ଅପେକ୍ଷାକୃତ ଫ୍ଲାଟ୍ ବା ସମାନ୍ତାରାଳ ରହିଛି। କେବେ ଏଥିରେ ଅଧିକ ବୃଦ୍ଧି ଦେଖାଦେବ ସେ ନେଇ ଏବେ କିଛି କହିବା ଠିକ୍ ହେବ ନାହିଁ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି। ଯଦି ସମସ୍ତେ ମିଳିତ ଭାବେ ଏହା ବିରୋଧରେ ଲଢ଼େଇ ଜାରି ରଖନ୍ତି ତା’ହେଲେ ସେଭଳି ସ୍ଥିତି ଆସି ନପାରେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। କୌଣସି ପ୍ରକାରେ ଆମେ ବିଫଳ ହେଲେ କରୋନା ରୋଗୀଙ୍କ ସଂଖ୍ୟାରେ ଅଧିକ ବୃଦ୍ଧି ଘଟିବାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଅନ୍ୟପକ୍ଷରେ ନାଗରିକ ସମାଜ, ଏନ୍‌ଜିଓ, ଶିଳ୍ପ ଏବଂ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ କାମ କରୁଥିବା କ୍ଷମତାସମ୍ପନ୍ନ ଗୋଷ୍ଠୀର ଅଧ୍ୟକ୍ଷ ତଥା ନିତି ଆୟୋଗ ସିଇଓ ଅମିତାଭ କାନ୍ତ କହିଛନ୍ତି, ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ଆମେ ଜିଲ୍ଲାପାଳମାନଙ୍କ ସହିତ ମିଶି କରୋନା ମୁକାବିଲା ପାଇଁ କାମ କରୁଛୁ। ଏସବୁ ଜିଲ୍ଲାରେ ମାତ୍ର ୬୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ସମୁଦାୟ ବ୍ୟକ୍ତିଙ୍କ ତୁଳନାରେ ଏମାନଙ୍କ ସଂଖ୍ୟା ମାତ୍ର ୨ ପ୍ରତିଶତ। ତେବେ ୧୧୨ଟି ଆକାଂକ୍ଷୀ ଜିଲ୍ଲାରେ ଦେଶର ମୋଟ ଲୋକସଂଖ୍ୟାର ୨୨ ପ୍ରତିଶତ ଲୋକ ରହୁଛନ୍ତି ବୋଲି ସେ କହିଛନ୍ତି। ବାରାମୁଳା, କୁପୱାଡ଼ା, ଜୟସାଲମେର୍‌ ଭଳି ଜିଲ୍ଲାରେ ୩୦ରୁ ଅଧିକ ମାମଲା ଆସିଥିବାବେଳେ ଅନ୍ୟ ଜିଲ୍ଲାଗୁଡ଼ିକରେ ଅତିକମ୍ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।