ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କୋଲକାତାଠାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ବିହାରର ଉପମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ପରିଷଦ ଅଧୀନରେ ଆସୁଥିବା ରାଜ୍ୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଗତ ୮ ବର୍ଷ ମଧ୍ୟରେ କ୍ଷେତ୍ରୀୟ ପରିଷଦ ବୈଠକରେ ୧୦୦୦ରୁ ଅଧିକ ବିଷୟ ଉପରେ ଆଲୋଚନା ହୋଇଛି। ସେଥିମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ପ୍ରସଙ୍ଗର ସମାଧାନ ହୋଇଛି। ଏହା ବହୁତ ବଡ଼ ସଫଳତା। ୨୦୦୬ରୁ ୨୦୧୩ ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଷଦର ମୋଟ ୬ଟି ବୈଠକ ଅନୁଷ୍ଠିତ ହୋଇଥିଲା (ବାର୍ଷିକ ହାରାହାରି ଗୋଟିଏରୁ ମଧ୍ୟ କମ୍), କିନ୍ତୁ ଗତ ୮ ବର୍ଷ ମଧ୍ୟରେ, କୋଭିଡ୍ ମହାମାରୀ ସତ୍ତ୍ବେ, ମୋଟ୍ ୨୩ଟି ବୈଠକ (ଆଜିକୁ ମିଶାଇ) ଅନୁଷ୍ଠିତ ହୋଇସାରିଛି (ବାର୍ଷିକ ହାରାହାରୀ ୩ଟି)।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ବିଗତ ବର୍ଷଗୁଡ଼ିକ ମଧ୍ୟରେ ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟମାନଙ୍କରେ ଭିତ୍ତିଭୂମି ବିକଶିତ କରିବା ଲାଗି ଯଥେଷ୍ଟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗତିଶକ୍ତି ଯୋଜନାର ପରିକଳ୍ପନାରେ ଏକ ବଡ଼ ଭାଗ ପୂର୍ବାଞ୍ଚଳର ରାଜ୍ୟମାନଙ୍କରେ ରହିଛି। ୨୫ତମ ବୈଠକରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି ଏବଂ ବାକି ପ୍ରସଙ୍ଗ ଉପରେ ମଧ୍ୟ ଆପୋସ ବିଚାରବିମର୍ଶ କରାଯାଇ ସମସ୍ୟାର ସମାଧାନ କରାଯିବ।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପୂର୍ବାଞ୍ଚଳ କ୍ଷେତ୍ର ପ୍ରାୟତଃ ବାମପନ୍ଥୀ ଉଗ୍ରବାଦ-ମୁକ୍ତ ହୋଇସାରିଛି। ଏସବୁ ରାଜ୍ୟକୁ ଦେଶର ଅନ୍ୟ ପ୍ରାନ୍ତ ଭଳି ସମାନ ବିକାଶ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମ ସମୟରେ ରାଜ୍ୟମାନଙ୍କର ସାଂସ୍କୃତିକ ବିବିଧତା ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରିବା ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅନୁରୋଧ କରିଥିଲେ।
କୋଇଲା ରୟାଲଟି ବଢ଼ାଇବାକୁ ଦାବି କଲା ଓଡ଼ିଶା
ଭୁବନେଶ୍ବର : କୋଲକତାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ କୋଇଲା ରୟାଲଟି ବଢ଼ାଇବାକୁ ଓଡ଼ିଶା ଦାବି କରିଛି। ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ସୁନିଲ ବଂଶଲ ଯୋଗଦେଇଥିବା ବେଳେ ଓଡ଼ିଶାକୁ ସ୍ବାର୍ଥ ପାଇଁ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।ପ୍ରତି ତିନି ବର୍ଷରେ କୋଇଲା ରୟାଲଟି ବଢ଼ାଇବା ନେଇ ନିୟମ ଥିଲେ ବି ୨୦୧୨ ମସିହା ପରେ ରୟାଲଟି ବଢ଼ିନଥିବାରୁ ଏହାକୁ ତୁରନ୍ତ ବଢ଼ାଯାଉ, ଆବାସ ଯୋଜନାରେ ଓଡ଼ିଶାକୁ ବାରମ୍ବାର ଅବହେଳା ନକରି ଅଧିକ ଗୃହ ଆବଣ୍ଟନ ହେଉ, ଏସ୍ସି-ଏସ୍ଟି ପ୍ରି ସ୍କଲାରସିପ୍ ଓ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଠିକ୍ ସମୟରେ ଦିଆଯାଉ, ନକ୍ସଲ ସମସ୍ୟା, ସୀମା ବିବାଦର ସମାଧାନ ନେଇ ଓଡ଼ିଶା ଦାବି କରିଥିବା ଜଣାପଡ଼ିଛି।