ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସ୍ମରଣ କରିଛନ୍ତି। ଏହାକୁ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୬କୁ ଆମେ କେବେ ବି ଭୁଲିପାରିବୁ ନାହିଁ। ଏହି ଦିନ ହିଁ ଦେଶ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲା। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୨୬/୧୧ ଆକ୍ରମଣ ଯୋଗୁଁ ମୁମ୍ବାଇ ଓ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ତେବେ ଭାରତ ଏହି ଘଟଣାରୁ ମୁକୁଳିବା ପାଇଁ ନିଜର ସାମର୍ଥ୍ୟ ପ୍ରୟୋଗ କରିଛି ଏବଂ ଆତଙ୍କବାଦକୁ ଦମନ କରିବା ପାଇଁ ସେହି ସାହସର ବ୍ୟବହାର କରୁଛି ବୋଲି 'ମନ୍ କୀ ବାତ୍'ରେ ମୋଦୀ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏକ୍ସକୁ ଯାଇ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇଛନ୍ତି।

Advertisment

ସେ କହିଛନ୍ତି ଯେ ଆକ୍ରମଣ ପାଇଁ ଦାୟୀ ଲୋକଙ୍କୁ ନ୍ୟାୟ ପରିସରକୁ ଆଣିବା ପାଇଁ ଭାରତର ପ୍ରୟାସ ଜାରି ରହିଛି। ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ୧୦ ଜଣ ସଦସ୍ୟ ୨୦୦୮ ନଭେମ୍ବର ୨୬ ତାରିଖ ରାତିରେ ମୁମ୍ବାଇ ସହରରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ୪ ଦିନ ମଧ୍ୟରେ ସେମାନଙ୍କ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଥିଲେ। ପ୍ରସିଦ୍ଧ ତାଜ ଏବଂ ଓବେରୟ ହୋଟେଲ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ନରିମାନ ହାଉସରେ ଥିବା ଇହୁଦୀ କେନ୍ଦ୍ର ଏବଂ ଲିଓପୋଲ୍ଡ କାଫେ କୁ ଟାର୍ଗେଟ କରାଯାଇଥିଲା କାରଣ ଏହି ସ୍ଥାନଗୁଡ଼ିକୁ ୟୁରୋପୀୟ, ଇହୁଦୀ ଏବଂ ଭାରତୀୟମାନେ ବାରମ୍ବାର ଯାତାୟାତ କରୁଥିଲେ। ୯ ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏକମାତ୍ର ବଞ୍ଚିଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅଜମଲ ଅମୀର କସବକୁ ଗିରଫ କରାଯାଇଥିଲା। ମେ ୨୦୧୦ରେ କସବକୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା ଏବଂ ଦୁଇ ବର୍ଷ ପରେ ତାକୁ ପୁଣେର ସର୍ବାଧିକ ସୁରକ୍ଷା ଥିବା ଜେଲରେ ଫାଶୀ ଦିଆଯାଇଥିଲା। ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରବିବାର ୨୬/୧୧ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।