ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ମାସକ ପୂର୍ବରୁ ୱାସିଂଟନ ଜରିଆରେ ନୂଆଦିଲ୍ଲୀର ଅନୁରୋଧରେ ଆମେରିକାର ଏକ ଫେଡ଼େରାଲ କୋର୍ଟ ୨୦୦୮ର ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ୀୟ ବ୍ୟବସାୟୀ ତାହାଉର ରାଣାକୁ ଭାରତ ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼୍ଯନ୍ତ୍ରକାରୀମାନଙ୍କୁ କାଠଗଡ଼ାକୁ ଟାଣିବା ଲାଗି ଭାରତର ଲଢ଼େଇରେ ଏହା ଏକ ବିରାଟ ସଫଳତା।
ଆମେରିକା କାଲିଫର୍ଣ୍ଣିଆ କେନ୍ଦ୍ରୀୟ ଜିଲ୍ଲାର ଜିଲ୍ଲା କୋର୍ଟ ମାଜିଷ୍ଟ୍ରେଟ୍ ଜଜ୍ ଜାକ୍ବେଲିନ ଚୁଲଜିଆନ ୪୮ ପୃଷ୍ଠାର ରାୟରେ କହିଛନ୍ତି ଯେ, ଭାରତ ସହ ଆମେରିକାର ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯିବା ଉଚିତ। ଜୁନ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୱାସିଂଟନ ଗସ୍ତ କରୁଥିବା ବେଳେ ସେଦିନ ସେ ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ ସହ ନୈଶ ଭୋଜିରେ ଯୋଗ ଦେବେ ବୋଲି ଜଣାପଡ଼ିଛି।