୨୬/୧୧ଆକ୍ରମଣକୁ ୧୦ ପୂରିଲା, ଗୁଳିବର୍ଷା ବେଳେ ହସୁଥିଲା କସାବ୍‌

ମୁମ୍ବାଇ: ଦେଶବାସୀଙ୍କ ଛାତି ଥରାଇଦେଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ (୨୬/୧୧ ଆକ୍ରମଣ) ଘଟଣାକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। କିନ୍ତୁ ଏବେ ବି ଏହାକୁ ଲୋକେ ଭୁଲିପାରିନାହାନ୍ତି। ମୁମ୍ବାଇ ଭଳି ବ୍ୟସ୍ତବହୁଳ ନଗରୀ ମଧ୍ୟରେ ପଶି ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବାର ୧୦ ସଦସ୍ୟ ଏକେ-୪୭, ଆର୍‌ଡିଏକ୍ସ, ଆଇଇଡି ଓ ଗ୍ରେନେଡ୍‌ରେ ସଜ୍ଜିତ ହୋଇ ନିରୀହ ଲୋକଙ୍କ ଜୀବନ ନେଇଥିଲେ। ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍‌, ଓବରୟ ଟ୍ରାଇଡେଣ୍ଟ, ଦ ତାଜ୍‌ ପ୍ୟାଲେସ୍‌ ଆଣ୍ଡ୍‌ ଟାୱାର, କାମା ହସ୍ପିଟାଲ୍‌ ଓ ନରିମାନ୍‌ ହାଉସ୍‌ ଭଳି ସ୍ଥାନରେ ଆତଙ୍କ ଖେଳାଇଥିଲେ। ୨୦୦୮ ନଭେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସାରା ମୁମ୍ବାଇ ଥରିଉଠିଥିଲା। ଏମାନଙ୍କୁ ମୁକାବିଲା କରିବା ପାଇଁ ସୁରକ୍ଷା କର୍ମୀ ନାକେଦମ୍‌ ‌ହୋଇଥିଲେ। ଏଥିରେ ୯ ଜଣ ଆତଙ୍କବାଦୀ ସମେତ ମୋଟ ୧୬୬ ଜଣ ପ୍ରାଣ ହରାଇଥିଲେ। କିନ୍ତୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜ୍‌ମଲ୍‌ କସାବ ଜୀବନ୍ତ ଧରାପଡ଼ିଥିଲା। ଦେଖଣାହାରୀଙ୍କ କହିବାନୁସାରେ କସାବ୍‌ ନିରୀହ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ଅନେକଙ୍କୁ ହତ୍ୟା କରିଥିଲା। ଗୁଳିବର୍ଷା ବେଳେ ସେ ଲୋକଙ୍କୁ ଚାହିଁ ହସୁଥିଲା। ଲୋକଙ୍କୁ କିଛି କହୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ‌ତେବେ ୨୫ ବର୍ଷୀୟ କସାବ୍‌କୁ କିଛିଦିନ ଜେଲ୍‌ରେ ରଖାଯିବା ପରେ ୨୦୧୨ ନଭେମ୍ବର ୨୧ରେ ପୁନେର ୟେରୱାଡ଼ା ଜେଲରେ ଫାଶି ଦିଆଯାଇଥିଲା। ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ଏବେ ଯଦି ମୁମ୍ବାଇ ୨୬/୧୧ ଆକ୍ରମଣର ପୁନରାବୃତ୍ତି ଘଟେ, ତା’ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାଟା ନିଶ୍ଚିତ। ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଓ ତା’ର ଗୋଷ୍ଠୀ ଏବେ ପାକିସ୍ତାନରେ ଖୋଲାରେ ବୁଲୁଥିବା ବେଳେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ତା’ ବିରୋଧରେ କୋର୍ଟରେ ଶୁଣାଣିକୁ ଜାଣିଶୁଣି ବିଳମ୍ବିତ କରାଯାଉଥିବା ବରିଷ୍ଠ ଓକିଲ ଉଜ୍ଜ୍ବଲ୍‌ ନିକମ୍‌ ରବିବାର କହିଛନ୍ତି।

‘କସାବ୍‌ ଝିଅ କହି ଲୋକେ ତାଚ୍ଛଲ୍ୟ କରୁଥିଲେ’
ମୁମ୍ବାଇ:୨୬/୧୧ ଆକ୍ରମଣର ଘଟଣା ସ୍ଥଳରେ ଥିଲେ ୯ ବର୍ଷୀୟା ବାଳିକା ଦେବୀକା ରୋଟୱାନ୍‌। ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ସଙ୍ଗେସଙ୍ଗେ ତଳେ ପଡ଼ି ଯାଇଥିଲେ ମଧ୍ୟ ସେ କସାବ୍‌କୁ ଦେଖି ପାରିଥିଲେ। କସାବକୁ ଫାଶି ଖୁଣ୍ଟରେ ଝୁଲାଇବାରେ ସେ ଗୁରୁ ଦାୟିତ୍ବ ନିଭାଇଥିଲେ। ଦେବୀକା ଏବେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। କିନ୍ତୁ ଘଟଣା ପରେ ଦେବୀକାଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ସହିବାକୁ ପଡ଼ିଥିଲା ତାହା ସେ ଏବେ ବି ଭୁଲିନାହାନ୍ତି। କସାବ୍‌ ବିରୋଧରେ ଦେବୀକା ସାକ୍ଷୀ ହୋଇଥିବାରୁ ତାଙ୍କୁ ଆକ୍ରମଣର ୪ ବର୍ଷ ପର୍ଯ୍ୟନ୍ତ ସ୍କୁଲ୍‌ରେ ନାମଲେଖା ପାଇଁ ଅନୁମତି ମିଳିନଥିଲା। ତାଙ୍କୁ ‘କସାବ୍‌ର ଝିଅ’ ବୋଲି କହି ତାଚ୍ଛଲ୍ୟ କରିଥିଲେ।

ସମ୍ବନ୍ଧିତ ଖବର