‘ଆଇଏସ୍‌ଆଇ’ର ସର୍ବୋଚ୍ଚସ୍ତରୀୟ ସୁରକ୍ଷା ମଧ୍ୟରେ ପାକିସ୍ତାନରେ ବାସ କରୁଛନ୍ତି ୨୬/୧୧ ଷଡ଼ଯନ୍ତ୍ରକାରୀ ସାଜ୍ଜିଦ୍ ମିର୍ ଓ ପୁଲ୍‌ୱାମା ଆକ୍ରମଣର ମାଷ୍ଟର୍ ମାଇଣ୍ଡ୍‌ ମାସୁଦ ଆଝାର

ନୂଆଦିଲ୍ଲୀ: ୨୬/୧୧ ଷଡ଼ଯନ୍ତ୍ରକାରୀ ସାଜ୍ଜିଦ୍ ମିର୍ ଓ ପୁଲ୍‌ୱାମା ଆକ୍ରମଣର ମାଷ୍ଟର୍ ମାଇଣ୍ଡ୍‌ ଜୈସ୍‌-ଏ- ମହମ୍ମଦର ମାସୁଦ ଆଝାର ‘ଆଇଏସ୍‌ଆଇ’ର ସର୍ବୋଚ୍ଚସ୍ତରୀୟ ସୁରକ୍ଷା ମଧ୍ୟରେ ପାକିସ୍ତାନରେ ବାସ କରୁଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ତା’ର ବାର୍ଷିକ ‘କଣ୍ଟ୍ରି ରିପୋର୍ଟସ୍ ଅନ୍ ଟେରରିଜମ୍’ରେ ପ୍ରକାଶ କରିଛି।

ମାତ୍ର ଏ ଦୁହିଁଙ୍କ ବିରୋଧରେ ପାକିସ୍ତାନ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ଆମେରିକା ଏହି ରିପୋର୍ଟରେ ଅଭିଯୋଗ କରିଛି।

ଇମ୍ରାନ୍‌ ଖାଁ ସରକାର ପାକିସ୍ତାନରେ ଏହି ଆତତାୟୀମାନେ ଥିବା କଥା ସବୁବେଳେ ଅସ୍ବୀକାର କରି ଆସୁଛି। କିନ୍ତୁ, ଆମେରିକୀୟ ନାଗରିକ ଡେଭିଡ୍ କୋଲ୍‌ମ୍ୟାନ୍ ହେଡ୍‌ଲିଙ୍କ ଏଜେଣ୍ଟ୍‌ ସାଜିଦ୍ ମିର୍ ପାକିସ୍ତାନର ରାୱଲ୍‌ପିଣ୍ଡି ଅନ୍ତର୍ଗତ ଆଡ଼ିଆଲା ଜେଲ୍‌ ରୋଡ୍ ଠାରେ ଥିବା ଗାର୍ଡେନ୍ ଭିଲା ହାଉସିଙ୍ଗ୍ ସୋସାଇଟି କିଂବା ଲାହୋରର ଅଲ୍ ଫୈସାଲ୍ ଟାଉନ୍ ଠାରେ ଥିବା ୨୭, ସି-ବ୍ଲକ୍ ଅଥବା ଲାହୋରର ଗନ୍ଦା ନାଲା ଅଞ୍ଚଳରେ ବାସ କରୁଛି।

Image Courtesy of News 18

୪୪ ବର୍ଷିୟ ମିର୍‌ଙ୍କ ମୁଣ୍ଡ ପାଇଁ ୫ ନିୟୁତ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରାଯାଇଛି। ୨୬/୧୧ ମୁମ୍ବାଇ ନରସଂହାର ସମୟରେ ଚାବାଦ ହାଉସ୍‌ରେ ସେ ହଲ୍ବଜ୍‌ବର୍ଗ ଦମ୍ପତିଙ୍କୁ ଗୁଳି ମାରିବାକୁ ଆତଙ୍କବାଦୀମାନଙ୍କୁ ନିର୍ଦେଶ ଦେଇଥିଲା। ଏହାଛଡ଼ା, ସେ ବିଦେଶରୁ ଆତଙ୍କବାଦୀ ଚୟନ କରିବା, ପାକିସ୍ତାନରେ ଆତଙ୍କବାଦୀ ତାଲିମ ଶିବିର ଚଳାଇବା କାମ କରିଛି। ଆଇଏସ୍‌ଆଇର ଭାରତୀୟ ମୁଜାହିଦୀନ୍ ଅଭିଯାନରେ ମଧ୍ୟ ସେ ଭୂମିକା ନେଇଥିଲେ।

ସେହିଭଳି, ୨୦୧୬ ପଠାନକୋଟ୍ ଏୟାର୍‌ବେସ୍ ଓ ୨୦୧୯ ପୁଲୱାମା ଆକ୍ରମଣର ରୂପକାର ମାସୁଦ ଆଝାର ଶଯ୍ୟାଶାୟୀ ହୋଇ ପାକିସ୍ତାନର ପଞ୍ଜାବ ପ୍ରଦେଶର ଭାୱାଲପୁର ଅନ୍ତର୍ଗତ ରେଲ୍‌ୱେ ଲିଙ୍କ୍‌ ରୋଡ୍‌ ଅଞ୍ଚଳର ମାର୍କେଜ୍-ଏ-ଉସ୍‌ମାନ୍‌ –ଓ- ଅଲିସ୍ଥିତ ଜେଇଏମ୍ ମୁଖ୍ୟାଳୟରେ ରହିଛନ୍ତି। ଆଝାର ଭାରତରେ ଆକ୍ରମଣ ଯୋଜନା କରନ୍ତି କିନ୍ତୁ, ଏହା କାର୍ଯ୍ୟକାରୀ ହୁଏ ତାଙ୍କର ଭାଇ ମୌଲାନା ରୌଫ୍ ଅସଗର୍ ଏବଂ ତାଙ୍କ ଟିମ୍‌ଙ୍କ ଦ୍ବାରା।

ସାଜ୍ଜିଦ୍ ମିର୍ ୨୦୧୨ରେ ଏବଂ ମାସୁଦ୍ ଆଝାର ୨୦୧୯ରେ ବୈଶ୍ବିକ ଆତଙ୍କବାଦୀ ଘୋଷିତ ହୋଇଛନ୍ତି।

 

ସମ୍ବନ୍ଧିତ ଖବର