୨୬.୪୯ ଲକ୍ଷ ଗ୍ରାମୀଣ ବାସଗୃହକୁ ପାଇପ୍‌ ଜଳଯୋଗାଣ

ମୋଟ ବାସଗୃହ ସଂଖ୍ୟା ୮୫.୬୭ ଲକ୍ଷ

ନୂଆଦିଲ୍ଲୀ : ‘ଜଳ ଜୀବନ ମିସନ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୮୫.୬୭ ଲକ୍ଷ ଗ୍ରାମୀଣ ବାସଗୃହ ମଧ୍ୟରୁ ୨୬.୪୯ ଲକ୍ଷ ବାସଗୃହକୁ ପାଇପ୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଆଜି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଲୋକସଭାରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କ ତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଓଡ଼ିଶାରେ ଅଗଷ୍ଟ ୧୫, ୨୦୧୯ରେ ଯେତେବେଳେ ଜଳ ଜୀବନ ମିସନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ସେତେବେଳେ ୮୫.୬୭ ଲକ୍ଷ ଗ୍ରାମୀଣ ପରିବାରଙ୍କ ମଧ୍ୟରୁ କେବଳ ୩,୧୧ ଲକ୍ଷ (୩.୭୪ ପ୍ରତିଶତ) ପରିବାରଙ୍କ ପାଖରେ ପାଇପ ପାଣି ସଂଯୋଗ ଥିଲା। ୨୨ ମାସ ପରେ ୨୩.୩୮ ଲକ୍ଷ ପରିବାରଙ୍କୁ ପାଇପ୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଯାହାଫଳରେ ବର୍ତ୍ତମାନ ମୋଟ ୨୬.୪୯ ଲକ୍ଷ ପରିବାର (୩୦.୯୩ ପ୍ରତିଶତ)କୁ ପାଇପ୍‌ ମାଧ୍ୟମରେ ପାନୀୟ ଜଳ ଉପଲବ୍ଧ ହେଉଛି ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ତାଙ୍କର ଉତ୍ତରରେ ଉଲ୍ଲେଖ କରଛନ୍ତି।

ଏଥି ସହିତ ମନ୍ତ୍ରୀ ଉତ୍ତରରେ ଜିଲ୍ଲାୱାରି ସୂଚନା ଉପଲବ୍ଧ କରାଇବା ସହ ମନ୍ତ୍ରାଳୟ ଜିଲ୍ଲାୱାରି ଜଳ ଜୀବନ ମିସନ କାର୍ଯ୍ୟକ୍ରମ ଅର୍ନ୍ତଗତ ଅର୍ଥରାଶି ଆବଣ୍ଟନ କରିନଥାଏ ବୋଲି ସ୍ପଷ୍ଟ କରିଛନ୍ତି। ଜଳ ଜୀବନ ମିସନରେ ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ୩୩୩୨.୪୨ କୋଟି ଟଙ୍କା,୨୦୨୦-୨୧ରେ ୮୧୨.୧୫ କୋଟି ଟଙ୍କା, ଓ ୨୦୧୯-୨୦ରେ ୩୬୪.୭୪ କୋଟି ଟଙ୍କା ଆବଣ୍ଟନ କରିଥିବା କେନ୍ଦ୍ରମନ୍ତ୍ରୀ ସୂଚିତ କରିଛନ୍ତି।

ସମ୍ବନ୍ଧିତ ଖବର