ଲଣ୍ଡନ: ବ୍ରିଟେନ୍ ସାଧାରଣ ନିର୍ବାଚନରେ ଲେବର ପାର୍ଟିର ବିପୁଳ ବିଜୟ ପରେ କେୟର ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ଋଷି ସୁନକଙ୍କ ନେତୃତ୍ବାଧୀନ କଞ୍ଜର୍ଭେଟିଭ ଦଳ ଘୋର ପରାଜୟର ସମ୍ମୁଖୀନ ହୋଇଛନ୍ତି। କାରଣ ଭୋଟରମାନେ ସେମାନଙ୍କୁ ଜୀବନ ଧାରଣର ଖର୍ଚ୍ଚ ବୃଦ୍ଧି, ପର୍ଯ୍ୟାପ୍ତ ଜନସେବାର ଅଭାବ ଏବଂ ଅନେକ ଦୁର୍ନୀତି ପାଇଁ ଉତ୍ତରଦାୟୀ କରିଥିଲେ। ସୁନକ ପରାଜୟକୁ ସ୍ୱୀକାର କରିବା ସହ ବିଜୟ ପାଇଁ ‌ଷ୍ଟାର୍ମରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଦାୟୀ ହାଉସ୍ ଅଫ୍ କମନ୍ସ (ଲୋକସଭା)ରେ ୧୫ ଜଣ ଭାରତୀୟ ବଂଶୋଦ୍ଭବ ସାଂସଦ ଥିଲେ ଏବଂ ଏହି ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଛି। ବ୍ରିଟେନ ସାଧାରଣ ନିର୍ବାଚନ ୨୦୨୪ରେ ୬୮୦ ଆସନ ପାଇଁ ୧୦୭ ଜଣ ବ୍ରିଟିସ-ଭାରତୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଠାରେ କେତେଜଣ ପ୍ରମୁଖ ବିଜୟୀ ବ୍ରିଟିସ ଭାରତୀୟଙ୍କ ତାଲିକା ଦିଆଗଲା:

Advertisment

ଋଷି ସୁନକ: କଞ୍ଜର୍ଭେଟିଭ୍ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ଉତ୍ତର ଇଂଲଣ୍ଡରେ ତାଙ୍କ ଆସନ ବଜାୟ ରଖିଛନ୍ତି କିନ୍ତୁ ଲେବର ପାର୍ଟିଠାରୁ ନିଜ ଦଳର ପରାଜୟ ସ୍ୱୀକାର କରିଛନ୍ତି। ସୁନକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଓ ଭାରତର ଜାମାତା।

ଶିବାନୀ ରାଜା: ଶିବାନୀ ରାଜା ଲେବର ପାର୍ଟିରୁ ଲିସେଷ୍ଟର ଇଷ୍ଟ ଆସନ ଜିତିଛନ୍ତି। ଲିସେଷ୍ଟର ଇଷ୍ଟରେ ହୋଇଥିବା ଲଢ଼େଇରେ ପୂର୍ବତନ ସାଂସଦ କ୍ଲାଉଡ୍ ୱେବ୍ବେ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କିଥ୍ ବାଜଙ୍କ ସମେତ ଅନେକ ହେଭିୱେଟ୍ ଥିଲେ। ଲିସେଷ୍ଟରରେ ଜନ୍ମିତ ଶିବାନୀ ରାଜା ହେରିକ୍ ପ୍ରାଇମେରି, ସୋର ଭ୍ୟାଲି କଲେଜ, ୱିଗେଷ୍ଟନ ଓ ରାଣୀ ଏଲିଜାବେଥ୍ ଦ୍ୱିତୀୟ କଲେଜରେ ଅଧ୍ୟୟନ କରିଥିଲେ।

କନିଷ୍କ ନାରାୟଣ: ପୂର୍ବତନ ୱେଲ୍ସ ସାଂସଦ ସେକ୍ ଆଲୁନ୍ କେର୍ନସ୍ ଲେବର ଦଳର ଭାରତୀୟ ବଂଶୋଦ୍ଭବ କନିଷ୍କ ନାରାୟଣଙ୍କଠାରୁ ପରାସ୍ତ ହୋଇଛନ୍ତି, ଯିଏ କି ସଂଖ୍ୟାଲଘୁ ଜାତିଗତ ପୃଷ୍ଠଭୂମିରୁ ୱେଲ୍ସର ପ୍ରଥମ ସାଂସଦ ହୋଇଛନ୍ତି। ନାରାୟଣ ଭାରତରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୨ ବର୍ଷ ବୟସରେ କାର୍ଡିଫକୁ ଚାଲି ଆସିଥିଲେ। ସେ ବୃତ୍ତି ପାଇ ଇଟନରେ ପଢ଼ିଥିଲେ। ତା’ପରେ ପ୍ରଶାସନିକ ଚାକିରିରେ ଯୋଗଦେବା ପୂର୍ବରୁ ଅକ୍ସଫୋର୍ଡ ଓ ପରେ ଷ୍ଟାନଫୋର୍ଡରେ ଅଧ୍ୟୟନ କରିଥିଲେ।

ସୁଏଲା ବ୍ରେଭରମ୍ୟାନ: ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନ ଫରେହାମ୍ ଓ ୱାଟରଲୁଭିଲ୍ ଆସନରେ ବିଜୟୀ ହୋଇଛନ୍ତି। ଗତ ସୁନକ ମନ୍ତ୍ରିମଣ୍ଡଳର ଶେଷ ଅଦଳବଦଳରେ ବ୍ରେଭରମ୍ୟାନଙ୍କ ସ୍ଥାନରେ ଜେମ୍ସ କ୍ଲେଭର୍ଲିଙ୍କୁ ଗୃହମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ପାଲେଷ୍ଟାଇନ୍ ସମର୍ଥକ ବିକ୍ଷୋଭକାରୀଙ୍କ ପ୍ରତି ମେଟ୍ରୋପଲିଟାନ୍ ପୁଲିସ ଅତ୍ୟଧିକ ନରମ ବୋଲି କହିବା ପରେ ସେ ବିବାଦଘେରକୁ ଆସିଥିଲେ।

ଗଗନ ମହୀନ୍ଦ୍ରା: କଞ୍ଜରଭେଟିଭ୍ ପାର୍ଟି ସଦସ୍ୟ ଗଗନ ମହୀନ୍ଦ୍ରା ୧୬,୪୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲିବରାଲ ଡେମୋକ୍ରାଟରୁ ସାଲି ସିମିଂଟନ ୧୨,୦୦୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପଞ୍ଜାବୀ ହିନ୍ଦୁ ପୃଷ୍ଠଭୂମିରୁ ଆସିଥିବା ମହୀନ୍ଦ୍ରା ପୂର୍ବରୁ ମେ ୩୦ରେ ସଂସଦ ଭଙ୍ଗ ହେବା ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ହର୍ଟଫୋର୍ଡଶାୟରର ସାଂସଦ ଭାବରେ କାର୍ଯ୍ୟ କରିଥିଲେ। ପୁନର୍ବାର ନିର୍ବାଚିତ ହେବା ପରେ ସେ ହାଉସ୍ ଅଫ୍ କମନ୍ସରେ ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ ଜାରି ରଖିବେ।

ନବେନ୍ଦୁ ମିଶ୍ର: ଲେବର ପାର୍ଟିର ଷ୍ଟକପୋର୍ଟ ସାଂସଦ ନବେନ୍ଦୁ ମିଶ୍ର ପୁନର୍ବାର ବିଜୟୀ ହୋଇ ନିଜ ଆସନ ବଜାୟ ରଖିଛନ୍ତି। ୨୦୧୯ରେ ପ୍ରଥମ ଥର ପାଇଁ ଷ୍ଟକପୋର୍ଟ ଆସନ ଜିତିବା ପରେ ଭାରତୀୟ ବଂଶୋଦ୍ଭବ ମିଶ୍ରଙ୍କୁ ସଂସଦରେ ଏହି ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ ଜାରି ରଖିବାର ସୁଯୋଗ ମିଳିଛି।

ସତବୀର କୌର: ଲେବର ପାର୍ଟିର ସଦସ୍ୟ ସତବୀର କୌର ସାଉଥାମ୍ପଟନ୍ ଟେଷ୍ଟ ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି। ସେ ୧୫,୯୪୫ ଖଣ୍ଡ ଭୋଟ୍ ବ୍ୟବଧାନରେ ନିଜ ଆସନ ହାସଲ କରିଥିଲେ। ସାଉଥାମ୍ପଟନ୍ ଟେଷ୍ଟରେ କୌରଙ୍କ ସଫଳତା ଜଣେ ବରିଷ୍ଠ ଲେବର ସାଂସଦ ଆଲାନ୍ ହ୍ୱାଇଟ୍‌ହେଡ୍‌ଙ୍କ ଅବସର ପରେ ମିଳିଥିଲା। ତିନିତିନି ଥର ଏହି ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଥିବା ହ୍ବାଇଟ୍‌ହେଡ୍‌ ସକ୍ରିୟ ରାଜନୀତିରୁ ଅବସର ନେବା ପରେ କୌରଙ୍କ ପାଇଁ ବାଟ ଖୋଲିଥିଲା।