ବଜ୍ରପାତ ଯୋଗୁଁ ବିହାରରେ ପୁଣି ୨୬ ଜଣଙ୍କର ମୃତ୍ୟୁ

ପାଟନା: ଗୁରୁବାର ଦିନ ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଛଅଜଣ ହେଉଛନ୍ତି ଗ୍ରାମୀଣ ପାଟନା ଅଞ୍ଚଳର।

ଗୋଟିଏ ସପ୍ତାହ ମଧ୍ୟରେ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିବାରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ପୁଣି ଜୁନ୍ ୩୦ ତାରିଖ ଦିନ ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ଏଗାର ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।

ଗତକାଲିର ବଜ୍ରପାତ ଘଟଣାରେ ପାଟନାରେ ୬ଜଣ, ସମସ୍ତିପୁରରେ ୭ଜଣ, ପୂର୍ବ ଚମ୍ପାରଣରେ ୪ଜଣ, ସମସ୍ତିପୁରରେ ୩ ଜଣ, କଠିଆରରେ ୪ଜଣ, ଶେଓହରରେ ୨ଜଣ, ମାଧେପୁରରେ ୨ଜଣ ଏବଂ ପୁରନିଆ ଏବଂ ପଶ୍ଚିମ ଚମ୍ପାରଣରେ ୧ଜଣ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Image Courtesy of Washington Post

ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଝଡ଼ବତାସ ପାଗ ସମୟରେ ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ସେ କହିଛନ୍ତି, ବଜ୍ରପାତ ସମୟରେ ନିରାପଦ ରହିବାକୁ ସମୟ ସମୟରେ ବିପର୍ଯ୍ୟୟ ପରିଚାଳନା ବିଭାଗ ଜାରି କରୁଥିବା ଉପଦେଶ ମାନନ୍ତୁ। ଖରାପ ପାଗରେ ଘରେ ନିରାପଦରେ ରୁହନ୍ତୁ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିହାର ବଜ୍ରପାତଜନିତ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର